ଭୁବନେଶ୍ୱର: ୮ ଦଫା ଦାବି ନେଇ ଭୁବନେଶ୍ୱର ଲୋୟର ପିଏମ୍ଜିରେ ୨୧ ଦିନ ଧରି ଚାଲିଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ ସ୍ଥଗିତ ହୋଇଛି। ଶନିବାର ସରକାରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ଶିକ୍ଷକ ସଂଗଠନ ଆଗାମୀ ବିଧାନସଭା ଅଧିବେଶନ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।
ଆନ୍ଦୋଳନସ୍ଥଳରେ ପହଞ୍ଚିଥିଲେ ଦୁଇ ମନ୍ତ୍ରୀ
ଶିକ୍ଷକଙ୍କ ଆନ୍ଦୋଳନ ଚାଲିଥିବା ସ୍ଥାନରେ ଶନିବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପହଞ୍ଚିଥିଲେ। ଆନ୍ଦୋଳନରତ ଶିକ୍ଷକ ପ୍ରତିନିଧିଙ୍କ ସହ ଆଲୋଚନା କରି ସେମାନଙ୍କ ଦାବି ଉପରେ ସମାଧାନର ଆଶ୍ୱାସନ ଦେଇଥିଲେ।
ଏହାପରେ ଶିକ୍ଷକ ସଂଗଠନ ପକ୍ଷରୁ ଆନ୍ଦୋଳନ ସ୍ଥଗିତ ଘୋଷଣା କରାଯାଇଛି।
୮ ଦଫା ଦାବି ନେଇ ଚାଲିଥିଲା ଆନ୍ଦୋଳନ
ଓଡ଼ିଶା ସ୍କୁଲ ଓ କଲେଜ ଶିକ୍ଷକ ଏବଂ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନରେ ଏହି ଆନ୍ଦୋଳନ ଚାଲିଥିଲା। ଦୀର୍ଘ ୨୫ରୁ ୩୦ ବର୍ଷ ଧରି ଶିକ୍ଷାଦାନ କରିଥିଲେ ମଧ୍ୟ ନିଜର ବିଭିନ୍ନ ନ୍ୟାୟସଙ୍ଗତ ଦାବି ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ୁଛି ବୋଲି ଶିକ୍ଷକମାନେ କହିଥିଲେ।
ଆନ୍ଦୋଳନର ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ ଅନୁଦାନରୁ ବଞ୍ଚିତ ୧୯୪ଟି ସ୍କୁଲ ସମେତ ଅନ୍ୟ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ସ୍କୁଲର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କୁ ପେନସନ୍ ଏବଂ ଅବସରକାଳୀନ ସୁବିଧା ଦେବା ରହିଛି।
ଖାଲି ପଦବି ପୂରଣ ଓ ବେତନ ଅସଙ୍ଗତି ଦୂର ଦାବି
ଶିକ୍ଷକମାନେ ବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ପଦବି ତୁରନ୍ତ ପୂରଣ କରିବା, ସମସ୍ତ ବିଦ୍ୟାଳୟକୁ ସରକାରୀ ଅନୁଦାନ ବ୍ୟବସ୍ଥାରେ ଆଣିବା ଏବଂ ଅବସର ବୟସ ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବା ଦାବି କରିଛନ୍ତି।
ଏହାସହ ଗ୍ରେଡ୍ ପେ’ରେ ଥିବା ଅସଙ୍ଗତି ଦୂର କରିବା ଏବଂ ସପ୍ତମ ବେତନ କମିସନ୍ରୁ ବାଦ୍ ପଡ଼ିଥିବା ଶିକ୍ଷକମାନଙ୍କୁ ସପ୍ତମ ବେତନ ପ୍ରଦାନ ଭଳି ଦାବି ମଧ୍ୟ ରହିଛି।
ବିଧାନସଭା ଅଧିବେଶନ ପର୍ଯ୍ୟନ୍ତ ସ୍ଥଗିତ
ସରକାରଙ୍କ ଆଶ୍ୱାସନ ପରେ ଶିକ୍ଷକ ସଂଗଠନ ଏବେ ପାଇଁ ଆନ୍ଦୋଳନ ସ୍ଥଗିତ କରିଛି। ଆଗାମୀ ବିଧାନସଭା ଅଧିବେଶନ ସମୟରେ ଦାବିଗୁଡ଼ିକ ଉପରେ ସରକାରଙ୍କ ପଦକ୍ଷେପ ଓ ନିଷ୍ପତ୍ତିକୁ ଆଧାର କରି ପରବର୍ତ୍ତୀ ରଣନୀତି ନିର୍ଦ୍ଧାରଣ କରାଯିବ।




