ଭୁବନେଶ୍ୱର: ବିଦ୍ୟୁତ ଚାଳିତ ଯାନ (EV) ବ୍ୟବହାର କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟ ସମସ୍ତ ରାଜ୍ୟକୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛି। ୨୦୨୬ ଜୁନ୍ ମାସରେ ଓଡ଼ିଶାରେ ସମୁଦାୟ ଗାଡ଼ି ବିକ୍ରିର ୧୭ ପ୍ରତିଶତ ଇଭି (EV) ରହିଥିବା ବେଳେ ଜାତୀୟ ସ୍ତରରେ ଏହି ହାର ୧୨ ପ୍ରତିଶତ ରହିଛି। ଏହି ସଫଳତା ସମ୍ପର୍କରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।
ସାମାଜିକ ଗଣମାଧ୍ୟମ ଏକ୍ସ (X)ରେ ଏକ ପୋଷ୍ଟ କରି ମନ୍ତ୍ରୀ ଏହି ବଡ଼ ସଫଳତାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଯୋଜନାକୁ ଦେଇଛନ୍ତି। ଏହାକୁ ‘ପୂର୍ବୋଦୟର ପ୍ରବେଶଦ୍ୱାର ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ପ୍ରମୁଖ ଯୋଗଦାନ’ ବୋଲି ସେ ଅଭିହିତ କରିଛନ୍ତି।
ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ଇ-ଡ୍ରାଇଭ୍’ ଯୋଜନା ଅଧୀନରେ ଓଡ଼ିଶାକୁ ୪୦.୫୦ କୋଟି ଟଙ୍କାରୁ ଅଧିକ ଅନୁଦାନ ମିଳିସାରିଛି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶରେ ବିଦ୍ୟୁତ ଚାଳିତ ଯାନର ବ୍ୟବହାରକୁ ବୃଦ୍ଧି କରିବା ସହ ଏହାର ଆବଶ୍ୟକୀୟ ଭିତ୍ତିଭୂମି (ଚାର୍ଜିଂ ଷ୍ଟେସନ୍ ଆଦି)କୁ ଅଧିକ ସୁଦୃଢ଼ କରିବା।
ରାଜ୍ୟରେ ହରିତ ପରିବହନ ଓ ସ୍ୱଚ୍ଛ ଶକ୍ତିର ପ୍ରସାର ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେଇଥିବାରୁ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।




