ଭୁବନେଶ୍ୱର: ଓଡ଼ିଶାର କୃଷି ଐତିହ୍ୟ ଏବଂ ପାରମ୍ପରିକ ଧାନର ବିବିଧତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ, ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ‘ଭାରତ ଆନ୍ତର୍ଜାତୀୟ ଧାନ ସମ୍ମିଳନୀ (BIRC) ୨୦୨୬’ରେ ଓଡ଼ିଶାର ୮ଟି ଜିଲ୍ଲାରୁ ୧୫ଟି ସ୍ୱତନ୍ତ୍ର ଧାନ ଓ ଚାଉଳ କିସମ ପ୍ରଦର୍ଶିତ ହେଉଛି। ଅକ୍ଟୋବର ୨୩ରୁ ୨୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ‘ଓର୍ମାସ୍’ (ORMAS) ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ଗ୍ରାମାଞ୍ଚଳର କୃଷକମାନଙ୍କୁ ବିଶାଳ ବଜାର ଯୋଗାଇଦେବା ଏବଂ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବା ପାଇଁ ୮୫ଟି ଗୋଷ୍ଠୀ ଭିତ୍ତିକ ସଂଗଠନର ୩,୬୯୫ ଜଣ ଚାଷୀ ଏଥିରେ ସାମିଲ ହୋଇଛନ୍ତି। ପ୍ରଦର୍ଶିତ ହେଉଥିବା ପ୍ରମୁଖ ଚାଉଳ ଗୁଡ଼ିକ ହେଲା:
- ପୁରୀ: ସାରଳା, ସୋନା ମସୁରୀ, ପୂଜା, ଏବଂ ସମ୍ରାଟ୍।
- କୋରାପୁଟ: ଜି.ଆଇ. ଟ୍ୟାଗ୍ ପ୍ରାପ୍ତ ପ୍ରସିଦ୍ଧ ‘କଳାଜିରା’ ଚାଉଳ।
- ମୟୂରଭଞ୍ଜ: ମୁଗେଇ, ସାଲଫୁଲା, ଏବଂ କଳାଚମ୍ପା।
- ବରଗଡ଼ ଓ ଗଞ୍ଜାମ: ବରଗଡ଼ର ‘ବ୍ଲାକ୍ ରାଇସ୍’ (ଜାସମିନ୍) ଏବଂ ଗଞ୍ଜାମର ଖାନିପାକା ଓ କଳା ଚାଉଳ (ଲାବଣ୍ୟ)।
- କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଓ ଜଗତସିଂହପୁର: କେନ୍ଦ୍ରାପଡ଼ାର ଲୀଳାବତୀ ପାର୍ବତ, ସୁନ୍ଦରଗଡ଼ର କାନ୍ଦେରୋଝଲ ଓ ମାଛକାନ୍ତା ଏବଂ ଜଗତସିଂହପୁରର କମ୍ ଜି.ଆଇ. (Low-GI) ଚାଉଳ।
ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଏହି ବିଶ୍ୱସ୍ତରୀୟ ମଞ୍ଚ ଓଡ଼ିଶାର ପାରମ୍ପରିକ କୃଷି ଜ୍ଞାନକୌଶଳ ଏବଂ ସ୍ୱତନ୍ତ୍ର ଚାଉଳ କିସମକୁ ସାରା ବିଶ୍ୱରେ ଏକ ନୂତନ ପରିଚୟ ଦେବ। ଏହାଦ୍ୱାରା ଗ୍ରାମାଞ୍ଚଳର ଅର୍ଥନୀତି ସୁଦୃଢ଼ ହେବ।
ପଞ୍ଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି ଯେ, କେବଳ ପ୍ରଦର୍ଶନୀ ନୁହେଁ, ବରଂ ଓର୍ମାସ୍ ଜରିଆରେ ଚାଷୀମାନଙ୍କୁ ପ୍ରସିଦ୍ଧ ହୋଟେଲ୍, ରେଷ୍ଟୁରାଣ୍ଟ୍, ଚାଉଳ ପ୍ରକ୍ରିୟାକରଣ କମ୍ପାନୀ ଏବଂ ଆନ୍ତର୍ଜାତୀୟ ବ୍ୟବସାୟୀଙ୍କ ସହ ସିଧାସଳଖ ଯୋଡ଼ାଯାଉଛି, ଯାହାଫଳରେ ଚାଷୀମାନେ ନିଜର ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇପାରିବେ।




