ଭୁବନେଶ୍ୱର: ଓଡ଼ିଶାର ସମସ୍ତ ସହରାଞ୍ଚଳରେ ୨୪x୭ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନଠାରେ ଜନସ୍ୱାସ୍ଥ୍ୟ ବୈଷୟିକ ସଂଗଠନ (PHEO) ର ୨୦୨୬-୨୭ ରୁ ୨୦୨୮-୨୯ ବର୍ଷ ପାଇଁ ବାର୍ଷିକ କାର୍ଯ୍ୟ ଯୋଜନାର ସମୀକ୍ଷା କରାଯାଇଛି।

ରାଜ୍ୟ ସରକାର ସମସ୍ତ ସହରାଞ୍ଚଳରେ ଦିନରାତି ୨୪ ଘଣ୍ଟା ପାନୀୟ ଜଳ ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ୨୦୨୬-୨୭ ବର୍ଷରେ ୩୮ଟି ଏବଂ ୨୦୨୭-୨୮ ବର୍ଷରେ ଆଉ ୩୮ଟି ପୌରାଞ୍ଚଳକୁ (ULBs) ଏହି ଯୋଜନାରେ ସାମିଲ କରାଯିବ।ଆକଳନ ଅନୁଯାୟୀ, ୨୦୨୬ ସୁଦ୍ଧା ୮୬ଟି ପୌରାଞ୍ଚଳର ଜନସଂଖ୍ୟା ପ୍ରାୟ ୩୧.୫ ଲକ୍ଷରେ ପହଞ୍ଚିବ। ବର୍ତ୍ତମାନ ଏହି ଅଞ୍ଚଳଗୁଡ଼ିକୁ ଦୈନିକ ପ୍ରାୟ ୪୫୨ ଏମଏଲଡି (MLD) ଜଳ ଯୋଗାଇ ଦିଆଯାଉଛି।

ସରକାରଙ୍କ ଏହି ଫ୍ଲାଗସିପ୍ କାର୍ଯ୍ୟକ୍ରମ ଅଧୀନରେ ମୋଟ ୫୪୪ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି, ଯେଉଁଥିରୁ ୨୮୯ଟି ସମ୍ପୂର୍ଣ୍ଣ ହୋଇଛି। ୨୦୨୬-୨୭ ଆର୍ଥିକ ବର୍ଷରେ ପ୍ରାୟ ୧୫୦୦ କୋଟି ଟଙ୍କା ବ୍ୟୟରେ ୩୯୧ଟି ପ୍ରକଳ୍ପ (୧୦୨ଟି ନୂତନ ପ୍ରକଳ୍ପ ସମେତ) କାର୍ଯ୍ୟକାରୀ ହେବ। ୨୦୨୭-୨୮ ବର୍ଷ ପାଇଁ ୯୭୮ କୋଟି ଟଙ୍କା ବିନିଯୋଗରେ ୯୨ଟି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସଚିବ ଶ୍ରୀମତୀ ପାଢୀ ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଏବଂ ଆବଣ୍ଟିତ ପାଣ୍ଠିର ସଠିକ୍ ବିନିଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏହି ବୈଠକରେ ଅତିରିକ୍ତ ସଚିବ ଶୁଭାନନ୍ଦ ମହାପାତ୍ର, ମୁଖ୍ୟ ଯନ୍ତ୍ରୀ (PHEO) ବିଳାସ ବେହେରା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।