ସମ୍ବଲପୁର: ଏକ ମିଶ୍ରିତ ମାମଲାର ଚୂଡ଼ାନ୍ତ ଫଏସଲା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଜିଲ୍ଲା ମାହୁଲପାଲି ଥାନାର ପୋଲିସ ସବ୍-ଇନ୍ସପେକ୍ଟର (SI) ସୁଜିତ୍ କୁମାର ମହାନ୍ତଙ୍କୁ କାବୁ କରିଛି ଓଡ଼ିଶା ଭିଜିଲାନ୍ସ।

ସୂଚନା ଅନୁଯାୟୀ, ମାହୁଲପାଲି ଥାନାରେ ରୁଜୁ ହୋଇଥିବା ଏକ ମାମଲାର ତଦନ୍ତକାରୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା SI ସୁଜିତ୍ ମହନ୍ତ, ଅଭିଯୋଗକାରୀଙ୍କ ସପକ୍ଷରେ ମାମଲା ଶେଷ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିଲା।

ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବାକୁ ଚଢ଼ାଉ କରିଥିଲା। ତେବେ ଧରାପଡ଼ିବା ଭୟରେ SI ସୁଜିତ୍ ମହନ୍ତ ଘଟଣାସ୍ଥଳରୁ ରାସ୍ତା ଉପରେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗୋଡ଼ାଇବାରୁ ସେ ଗିରଫଦାରୀରୁ ବର୍ତ୍ତିବା ପାଇଁ ନିକଟସ୍ଥ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ। ମାତ୍ର ଭିଜିଲାନ୍ସ ଟିମ୍ ତାଙ୍କୁ ପୋଖରୀ ମଧ୍ୟରୁ କାବୁ କରିବାରେ ସଫଳ ହୋଇଥିଲା।

ଗିରଫ SI ସୁଜିତ୍ ମହନ୍ତଙ୍କୁ ଆଜି ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଚାଲାଣ କରାଯାଉଛି। ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧିତ) ଆଇନ, ୨୦୧୮ ର ଧାରା ୭ ଅଧୀନରେ କେସ୍ ନଂ ୨୧/୨୦୨୬ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।