ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ୧.୨୩ କୋଟି ଟଙ୍କାରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ୍ ମାମଲାରେ ଅନୁଗୁଳ ସ୍ଥିତ ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନର ଡିଏଫ୍‌ଓ କାର୍ଯ୍ୟାଳୟର ସଂସ୍ଥାପନା ଶାଖାର ବରିଷ୍ଠ ସହାୟକ ଅଜୟ କୁମାର ନାୟକଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି।

୨୦୨୬ ଅକ୍ଟୋବର ମାସରେ ଏହି ଆର୍ଥିକ ଅନିୟମିତତା ସାମ୍ନାକୁ ଆସିବା ପରଠାରୁ ଅଭିଯୁକ୍ତ ଅଜୟ କୁମାର ନାୟକ ଫେରାର ଥିଲେ। ଓଡ଼ିଶା ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିଲା। ଗତକାଲି ରାତିରେ ସେ ଏକ କାର ଯୋଗେ ଅନୁଗୁଳ ସହର ସ୍ଥିତ ନିଜ ବାସଭବନକୁ ଯାଉଥିବା ବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ ମାଡ଼ି ବସିଥିଲା।

ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୧.୨୩ କୋଟି ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ଆତ୍ମସାତ୍ ହୋଇଥିବା ଅଭିଯୋଗର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା। ବିସ୍ତୃତ ତଦନ୍ତରୁ ଜଣାପଡ଼ିଥିଲା ଯେ ନାୟକ ସଂସ୍ଥାପନା ଶାଖାରେ କାର୍ଯ୍ୟରତ ଥିବା ସମୟରେ ଯୋଜନାବଦ୍ଧ ଭାବେ ସରକାରୀ ଅର୍ଥ ହଡ଼ପ କରିଥିଲେ। ଉକ୍ତ ଶାଖାରେ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ଦରମା, ଅବ୍ୟବହୃତ ଛୁଟି ଦରମା ଏବଂ ବକେୟା ପ୍ରାପ୍ୟ ପ୍ରକ୍ରିୟାକରଣର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା।

ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ ଅଭିଯୁକ୍ତ ୨୦୧୯ ଜାନୁଆରୀ ୧ ତାରିଖରୁ ୨୦୨୫ ଜୁନ୍ ୩୦ ତାରିଖ ମଧ୍ୟରେ ମୋଟ ୧ କୋଟି ୨୩ ଲକ୍ଷ ୫୨ ହଜାର ୫୪୭ ଟଙ୍କା (₹1,23,52,547) ଆତ୍ମସାତ୍ କରିଛନ୍ତି।

ନାୟକ ଅନଲାଇନ୍ ଏଚ୍‌ଆରଏମ୍‌ଏସ୍ (HRMS) ପୋର୍ଟାଲରେ ତଥ୍ୟ ହେରଫେର କରି ଅବସରପ୍ରାପ୍ତ ଏବଂ ମୃତ କର୍ମଚାରୀମାନଙ୍କ ନାମରେ ଅବ୍ୟବହୃତ ଛୁଟି ଦରମା ଓ ବକେୟା ଅର୍ଥ ପାଇଁ ଜାଲ୍ ବିଲ୍ ପ୍ରସ୍ତୁତ କରୁଥିଲେ। ପ୍ରକୃତ ହିତାଧିକାରୀଙ୍କ ଖାତାକୁ ଟଙ୍କା ପଠାଇବା ପରିବର୍ତ୍ତେ ସେ ଟ୍ରେଜେରୀ ମାଧ୍ୟମରେ ଏନଇଏଫ୍‌ଟି (NEFT) ଜରିଆରେ ଏହି ଆତ୍ମସାତ୍ ଅର୍ଥକୁ ନିଜ ବ୍ୟାଙ୍କ ଆକାଉଣ୍ଟ ଏବଂ ତାଙ୍କର ଦୁଇ ଜଣ ସହଯୋଗୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲେ।

ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କଟକ ଭିଜିଲାନ୍ସ ଥାନାରେ ମାମଲା ନମ୍ବର ୪୪/୨୦୨୬ ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା (BNS) ର ବିଭିନ୍ନ ଦଫା ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ଆଜି ଅଭିଯୁକ୍ତ ଅଜୟ କୁମାର ନାୟକଙ୍କୁ କୋର୍ଟ ଚାଲାଣ କରାଯାଉଛି।