ଭୁବନେଶ୍ୱର: ଓଡ଼ିଶାରେ ଦୁର୍ନୀତି ନିୟନ୍ତ୍ରଣ ଓ ଭିଜିଲାନ୍ସ ତଦନ୍ତକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଆଧୁନିକ ସୂଚନା ପ୍ରଯୁକ୍ତି (ଆଇଟି)ର ବ୍ୟବହାର ବଢ଼ାଯିବ। ଏଥିସହ ଦୁର୍ନୀତିକୁ ଆଗୁଆ ଚିହ୍ନଟ ଓ ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଭିଜିଲାନ୍ସରେ ଏକ ସ୍ୱତନ୍ତ୍ର ‘ପ୍ରିଭେଣ୍ଟିଭ୍‌ ଭିଜିଲାନ୍ସ ରିସର୍ଚ୍ଚ ୱିଙ୍ଗ୍‌’ ଗଠନ କରାଯିବ। ମଙ୍ଗଳବାର ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି।

ଲୋକସେବା ଭବନର କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ, ଦୁର୍ନୀତି ରୋକିବା ପାଇଁ କେବଳ ଘଟଣା ପରେ ଚଢ଼ାଉ କିମ୍ବା ଦଣ୍ଡବିଧାନ ଯଥେଷ୍ଟ ନୁହେଁ। ଯେଉଁ କ୍ଷେତ୍ରରେ ଦୁର୍ନୀତି ହେବାର ଆଶଙ୍କା ଅଧିକ, ସେଗୁଡ଼ିକୁ ଆଗୁଆ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବା ଜରୁରୀ। ପ୍ରସ୍ତାବିତ ଗବେଷଣା ୱିଙ୍ଗ୍‌ ଏହି ଦିଗରେ କାର୍ଯ୍ୟ କରିବ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବାରେ ସହାୟକ ହେବ।

ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ, ଆଇଟିର ଉନ୍ନତ ବ୍ୟବହାର ପାଇଁ ଓଡ଼ିଶା ଆଇଟି ନୀତିକୁ ଅନୁମୋଦନ କରାଯାଇଛି। ଜନଶୁଣାଣି ମାଧ୍ୟମରେ ଲୋକମାନେ ନିଜ ଅଞ୍ଚଳର ଦୁର୍ନୀତି ସମ୍ପର୍କରେ ଅଭିଯୋଗ ଜଣାଇପାରୁଛନ୍ତି ଏବଂ ଅଭିଯୋଗ ଆଧାରରେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ।

ଦୁର୍ନୀତି ବିରୋଧୀ ଅଭିଯାନର ଅଗ୍ରଗତି ସମ୍ପର୍କରେ ସେ କହିଥିଲେ ଯେ, ଗତ ଅଢ଼େଇ ବର୍ଷ ମଧ୍ୟରେ ଜଣେ ଆଇଏଏସ୍‌ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅନେକ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ପଦକ୍ଷେପ ନେଇଛି। ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୪୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ୯୧ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍‌ ବନ୍ଦ କରାଯାଇଥିବା ସେ ଉଲ୍ଲେଖ କରିଥିଲେ।

ସେହିପରି, ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ୨୦୨୫ରେ ଭିଜିଲାନ୍ସର ଦଣ୍ଡବିଧାନ ହାର ୫୦ ପ୍ରତିଶତ ଥିବା ବେଳେ ୨୦୨୬ ସେପ୍ଟେମ୍ବର ସୁଦ୍ଧା ଏହା ୬୫ ପ୍ରତିଶତରେ ପହଞ୍ଚିଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ କୁମାର ଜେଠୱା ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଦୁର୍ନୀତି ବିରୋଧରେ ସଚ୍ଚୋଟତା ଓ ସାଧୁତାର ଶପଥ ପାଠ କରାଯାଇଥିଲା। ୨୦୨୫ ବର୍ଷର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରେଷ୍ଠ ଭିଜିଲାନ୍ସ ଡିଭିଜନ୍‌, ୟୁନିଟ୍‌ ଓ ତଦନ୍ତକାରୀ ଅଧିକାରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।