ଭୁବନେଶ୍ୱର: ଓଡ଼ିଶାରେ ପାଣିପାଗର ମିଜାଜ୍ ବଦଳିବାରେ ଲାଗିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ରାଜ୍ୟର ୧୩ଟି ଜିଲ୍ଲା ପାଇଁ ଜରୁରୀ ସାମ୍ପ୍ରତିକ ପାଣିପାଗ ପୂର୍ବାନୁମାନ ଜାରି କରାଯାଇଛି। ଆଗାମୀ ୩ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ପ୍ରବଳ ସମ୍ଭାବନା ରହିଛି।

ଏହି ୧୩ଟି ଜିଲ୍ଲାକୁ ସାବଧାନତା ଚେତାବନୀ

ପାଣିପାଗ ବିଭାଗ ପକ୍ଷରୁ ପୂର୍ବାହ୍ନ ୧୧:୧୫ ମିନିଟ୍‌ରେ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଆଗାମୀ ୩ ଘଣ୍ଟା ମଧ୍ୟରେ ନିମ୍ନଲିଖିତ ଜିଲ୍ଲାଗୁଡ଼ିକରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ:

  • ଉତ୍ତର ଓ ଉପକୂଳ ଓଡ଼ିଶା: କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା।
  • ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା: ନୂଆପଡ଼ା, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଏବଂ କନ୍ଧମାଳ।

ବଜ୍ରପାତ ଓ ଘଡ଼ଘଡ଼ି ଜନିତ ବିପଦକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କୁ ନିୟମିତ ପାଣିପାଗ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

ଖରାପ ପାଣିପାଗ କିମ୍ବା ଆକାଶ ମେଘାଚ୍ଛନ୍ନ ହେଲେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବା ସହ କାମ ନଥିଲେ ବାହାରକୁ ନବାହାରିବାକୁ ଏବଂ ନିଜର ସୁରକ୍ଷା ପାଇଁ ପୂର୍ବପ୍ରସ୍ତୁତି କରିବାକୁ ସୂଚନା ଦିଆଯାଇଛି।