ଭୁବନେଶ୍ୱର, ୩/୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଅତିକ୍ରମ କରି ଏବେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡ଼କୁ ଗତି କରୁଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ଲଘୁଚାପ କ୍ଷେତ୍ର ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ଥିଲା। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ରପତ୍ତନଠାରୁ ପ୍ରାୟ ୭.୬ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି।

ଲଘୁଚାପର ପ୍ରଭାବ ଓଡ଼ିଶାରେ ଏବେ କମିଥିବାରୁ ବର୍ଷାର ପରିମାଣ ମଧ୍ୟ ହ୍ରାସ ପାଇଛି। କେତେକ ସ୍ଥାନରେ ଝିପିଝିପି ବର୍ଷା ହେଉଥିବା ବେଳେ ଆଉ କେତେକ ସ୍ଥାନରେ ଅସରାଏ ଦୁଇ ଅସରା ବର୍ଷା ହେଉଛି। ବର୍ତ୍ତମାନ ବଡ଼ ଧରଣର ବର୍ଷାର ସମ୍ଭାବନା ନଥିବା ବେଳେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ପାଗ ପ୍ରାୟ ସମାନ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

କେତେକ ଜିଲ୍ଲାରେ ହୋଇପାରେ ବର୍ଷା

ଆସନ୍ତା କିଛି ଦିନ ମଧ୍ୟରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ସେପ୍ଟେମ୍ବର ୯ ତାରିଖ ବେଳକୁ ବର୍ଷାର ପ୍ରଭାବ ପୁଣି ବଢ଼ିବାର ସମ୍ଭାବନା ରହିଛି।

ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଂ ଜାରି କରାଯାଇଛି।