ଭୁବନେଶ୍ୱର: ରାଜ୍ୟରେ କ୍ରମଶଃ ବଢ଼ିବାରେ ଲାଗିଲାଣି ଶୀତର ପ୍ରକୋପ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାର ପାହାଡ଼ିଆ ଅଞ୍ଚଳ ଜି. ଉଦୟଗିରି ଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସେହିପରି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଦାରିଙ୍ଗବାଡ଼ିରେ ତାପମାତ୍ରା ୧୩.୫ ଡିଗ୍ରୀ ସେଲ୍ସିୟସ୍ ରହିଥିବା ବେଳେ ଏହା କନ୍ଧମାଳର ପାହାଡ଼ିଆ ଅଞ୍ଚଳରେ ପ୍ରାଥମିକ ଶୀତ ପ୍ରବାହର ସ୍ପଷ୍ଟ ସୂଚନା ଦେଉଛି।
ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ରାଜ୍ୟରେ ସର୍ବାଧିକ ଦିନର ତାପମାତ୍ରା ନୟାଗଡ଼ଠାରେ ୩୩.୦ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ, ଇସ୍ପାତ ସହର ରାଉରକେଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। କୁହୁଡ଼ି କାରଣରୁ ଦୃଶ୍ୟମାନତା ହ୍ରାସ ପାଇ ୫୦ ରୁ ୨୦୦ ମିଟର ମଧ୍ୟରେ ପହଞ୍ଚିଥିଲା। ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୬.୦ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଛି।
ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ମଧ୍ୟ ଶୀତୁଆ ଅନୁଭୂତି ଆରମ୍ଭ ହୋଇଛି। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୧.୪ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୧.୦ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିବା ବେଳେ କଟକରେ ଏହା ଯଥାକ୍ରମେ ୨୯.୬ ଡିଗ୍ରୀ ଏବଂ ୧୯.୪ ଡିଗ୍ରୀ ସେଲ୍ସିୟସ୍ ରହିଛି। ଏହି ସମୟ ମଧ୍ୟରେ ଉଭୟ ସହରରେ କୌଣସି ବର୍ଷା ହୋଇନାହିଁ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆଗାମୀ ଦିନଗୁଡ଼ିକରେ ରାଜ୍ୟରେ ଶୁଖିଲା ପାଗ ଜାରି ରହିବ ଏବଂ ବିଶେଷକରି ଅଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି। ତେଣୁ ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି।




