ଭୁବନେଶ୍ୱର: ନଭେମ୍ବର ମାସରେ ଓଡ଼ିଶାର ପାଣିପାଗ ମାନଚିତ୍ରରେ ଏବେ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। ଗୋଟିଏ ପଟେ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଲୋକମାନେ ସକାଳୁ ଶୀତୁଆ ପବନ ଓ ଜାଡ଼ ଅନୁଭବ କରି ଶୀତବସ୍ତ୍ର ବାହାର କରିସାରିଥିବା ବେଳେ, ଅନ୍ୟପଟେ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ରାତିର ତାପମାତ୍ରା ଅପେକ୍ଷାକୃତ ଅଧିକ ରହିଛି। ଏହାଫଳରେ ସମଗ୍ର ରାଜ୍ୟରେ ତାପମାତ୍ରାର ଏକ ବଡ଼ ଧରଣର ତାରତମ୍ୟ ଦେଖିବାକୁ ମିଳିଛି।
ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଶୀତର ପ୍ରକୋପ ଅଧିକ ସ୍ପଷ୍ଟ ହେବାରେ ଲାଗିଛି, ଯେଉଁଠାରେ ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି। ସର୍ବନିମ୍ନ ୧୪.୨ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି।
ଝାରସୁଗୁଡ଼ା ପଛକୁ ନବରଙ୍ଗପୁରରେ ୧୪.୬ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୫ ଡିଗ୍ରୀ ଏବଂ କୋରାପୁଟରେ ମଧ୍ୟ ୧୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଭବାନୀପାଟଣାରେ ୧୫.୫ ଡିଗ୍ରୀ, ରାଉରକେଲାରେ ୧୫.୭ ଡିଗ୍ରୀ, ବଲାଙ୍ଗୀରରେ ୧୬ ଡିଗ୍ରୀ ଏବଂ ସୋନପୁରରେ ୧୬.୨ ଡିଗ୍ରୀ ସେଲସିୟସ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହୋଇଛି। ଏହି ଅଞ୍ଚଳଗୁଡ଼ିକରେ ସନ୍ଧ୍ୟା ହେବା ମାତ୍ରେ ଥଣ୍ଡା ପବନ ବହିବା ସହ ସକାଳୁ ହାଲୁକା କୁହୁଡ଼ି ଦେଖିବାକୁ ମିଳୁଛି।
ଆଭ୍ୟନ୍ତରୀଣ ଓଡ଼ିଶାର ଠିକ୍ ବିପରୀତ ଚିତ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳୁଛି। ରାଜଧାନୀ ଭୁବନେଶ୍ୱର ଏବଂ କଟକ ସମେତ ଅଧିକାଂଶ ଉପକୂଳ ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଛି। ଏହି ଅଞ୍ଚଳର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୨୦ ଡିଗ୍ରୀ ସେଲସିୟସରୁ ଅଧିକ ରହୁଥିବାରୁ ସେଠାରେ ଏପର୍ଯ୍ୟନ୍ତ ସେତେଟା ଶୀତ ଅନୁଭୂତ ହେଉନାହିଁ।
ପାଣିପାଗ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଏହି ବିପରୀତ ପାଣିପାଗ ସ୍ଥିତି ଓଡ଼ିଶାରେ ଶୀତ ଋତୁର ଧୀରେ ଧୀରେ ଆଗମନକୁ ସୂଚାଉଛି। ଉପକୂଳ ଅଞ୍ଚଳ ତୁଳନାରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବହୁ ପୂର୍ବରୁ ଶୀତ ଅନୁଭୂତ ହେଉଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟର ଏହି ବିବିଧ ଜଳବାୟୁ ଓ ତାପମାତ୍ରାର ପାର୍ଥକ୍ୟ ବଜାୟ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।




