କଟକ: ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ‘କ୍ରସ୍ ଭୋଟିଂ’ ଅଭିଯୋଗରେ ବିଜେଡିର ୮ ଜଣ ବିଧାୟକଙ୍କ ସଦସ୍ୟପଦ ରଦ୍ଦ ଦାବି ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟରେ ଆଇନଗତ ପ୍ରକ୍ରିୟା ପୁଣି ତ୍ୱରାନ୍ୱିତ ହୋଇଛି। ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପକ୍ଷରୁ ଦାଖଲ ହୋଇଥିବା ରିଟ୍ ଆବେଦନର ‘ନୂତନ ଗ୍ରହଣଯୋଗ୍ୟତା’ ଉପରେ ଆସନ୍ତା ଅକ୍ଟୋବର ୨୯, ୨୦୨୬ ରେ ହାଇକୋର୍ଟ ଶୁଣାଣି କରିବେ।

ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁଙ୍କ ଏକକ ପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ପ୍ରମିଳା ମଲ୍ଲିକଙ୍କ ବରିଷ୍ଠ ଆଇନଜୀବୀ ମିଲନ୍ କାନୁନ୍‌ଗୋ ଅଦାଲତଙ୍କୁ ଜଣାଇଥିଲେ ଯେ, ତାଙ୍କ ଆବେଦନକାରୀ ନିର୍ଦ୍ଧାରିତ ନିୟମାବଳୀ (୧୯୮୭ ରୁଲ୍ ୬(୬) ଓ ୬(୭)) ଅନୁଯାୟୀ ସମ୍ପୂର୍ଣ୍ଣ ଆନୁଷ୍ଠାନିକ ଫର୍ମାଟ୍‌ରେ ବାଚସ୍ପତିଙ୍କ ନିକଟରେ ପୁନର୍ବାର ନୂତନ ନିଲମ୍ବନ ପିଟିସନ୍ ଦାଖଲ କରିବାକୁ ଚାହୁଁଛନ୍ତି।

ବିଜେଡି ସଚେତକଙ୍କ ପୂର୍ବ ପିଟିସନ୍‌କୁ ଗତ ଜୁନ୍ ୧୯ ତାରିଖରେ ବାଚସ୍ପତି ରଦ୍ଦ କରିଦେଇଥିଲେ। ନିୟମାବଳୀ ପାଳନରେ ରହିଥିବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବାଚସ୍ପତି ଏହାକୁ ଗ୍ରହଣ କରିନଥିଲେ। ତେବେ ଏହି ତ୍ରୁଟି ସଂଶୋଧନ ଯୋଗ୍ୟ ହୋଇଥିବାରୁ, ବିଜେଡି ଆଇନଗତ ଭାବେ ପୁନର୍ବାର ବାଚସ୍ପତିଙ୍କ ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଛି।

ଅଦାଲତ କହିଛନ୍ତି ଯେ, ଯଦି ଆବେଦନକାରୀ ସମ୍ପୃକ୍ତ କର୍ତ୍ତୃପକ୍ଷ (ବାଚସ୍ପତି) ଙ୍କ ନିକଟରେ ନୂତନ ଭାବେ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ କୋର୍ଟ ବର୍ତ୍ତମାନର ଆବେଦନର ଗ୍ରହଣଯୋଗ୍ୟତା କିମ୍ବା ଗୁଣାତ୍ମକ ଦିଗ ଉପରେ ବିଚାର କରିବାର ଆବଶ୍ୟକତା ନାହିଁ। ଉଭୟ ପକ୍ଷଙ୍କ ସମ୍ମତି କ୍ରମେ ଆସନ୍ତା ଅକ୍ଟୋବର ୨୯ ରେ ରାଜ୍ୟ ସରକାରଙ୍କ ଆଇନଜୀବୀ ସେମାନଙ୍କ ପକ୍ଷ ରଖିବେ।

ସୂଚନାଯୋଗ୍ୟ ଯେ, ଏହି ମାମଲାରେ ନିଲମ୍ବିତ ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ର, ସୌଭିକ ବିଶ୍ୱାଳ, ସନାତନ ମହାକୁଡ଼, ଚକ୍ରମଣି କାହ୍ନର, ସୁବାସିନୀ ଜେନାଙ୍କ ସମେତ ୮ ଜଣ ବିଧାୟକଙ୍କ ବିରୋଧରେ ୧୦ମ ଅନୁସୂଚୀ ଅଧୀନରେ ଆବେଦନ କରାଯାଇଛି। ପୂର୍ବରୁ ଜଷ୍ଟିସ୍ ଆର.କେ. ପଟ୍ଟନାୟକ ଏହି ମାମଲାରୁ ଓହରିଯିବା ପରେ ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଜଷ୍ଟିସ୍ ଏମ୍.ଏସ୍. ସାହୁଙ୍କୁ ଏହି ମାମଲା ପ୍ରଦାନ କରାଯାଇଛି।