ବାଲୁଗାଁ: ବଙ୍ଗୋପସାଗରରେ ଭୟଙ୍କର ରୂପ ନେଉଥିବା ସାମୁଦ୍ରିକ ବାତ୍ୟା ‘ଅରନବ’ ପ୍ରଭାବରେ ପ୍ରବଳ ବର୍ଷା ଓ ପବନର ବେଗ ବୃଦ୍ଧି ପାଇବା ପରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଚିଲିକାସ୍ଥିତ OTDCର ବାରକୁଳ ପନ୍ଥନିବାସ ୟୁନିଟ୍ରେ ଆସନ୍ତା ତିନି ଦିନ ପାଇଁ ସମସ୍ତ ବୋଟ୍ ଚଳାଚଳକୁ ସମ୍ପୂର୍ଣ୍ଣ ସ୍ଥଗିତ ରଖାଯାଇଛି।
ଏଥିସହିତ ପନ୍ଥନିବାସ ଅଧୀନରେ ଥିବା ସମସ୍ତ ଜଳଯାନ ଓ ବୋଟ୍ଗୁଡ଼ିକର ସୁରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି।
OTDC ବାରକୁଳ ପନ୍ଥନିବାସ ୟୁନିଟ୍ ମ୍ୟାନେଜର ସବ୍ୟସାଚୀ କର ମଙ୍ଗଳବାର ସୂଚନା ଦେଇ କହିଛନ୍ତି ଯେ, ପନ୍ଥନିବାସର ସମସ୍ତ ୧୦ଟି ବୋଟ୍କୁ ସୁରକ୍ଷିତ ସ୍ଥାନରେ ବାନ୍ଧି ରଖାଯାଇଛି। ଏଥିମଧ୍ୟରୁ ୩ଟି ବୋଟ୍ ପୂର୍ବରୁ ଅଚଳ ରହିଥିଲା।
ସମସ୍ତ ବୋଟ୍କୁ ସୁରକ୍ଷିତ ରଖାଯିବା ସହ ବୋଟିଂ ସେବାକୁ ୩ ଦିନ ପାଇଁ ବନ୍ଦ ରଖାଯାଇଛି। ପନ୍ଥନିବାସର ସମସ୍ତ କର୍ମଚାରୀଙ୍କୁ ହାଇଆଲର୍ଟରେ ରଖାଯାଇଛି ଏବଂ ଆବଶ୍ୟକ ସମସ୍ତ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ବୋଟ୍ଗୁଡ଼ିକର ସୁରକ୍ଷା ଯାଞ୍ଚ ପାଇଁ OTDC ଜେଟି କମ୍ପ୍ଲେକ୍ସ ନିକଟରେ ବିଶେଷ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
ମ୍ୟାନେଜର ସବ୍ୟସାଚୀ କରଙ୍କ କହିବା ଅନୁଯାୟୀ, ମଙ୍ଗଳବାର ସକାଳୁ ଚିଲିକା ଓ ଏହାର ଆଖପାଖ ଅଞ୍ଚଳରେ ପାଣିପାଗ ଦ୍ରୁତ ଗତିରେ ବିଗିଡ଼ିବାରେ ଲାଗିଛି। ସକାଳୁ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ଯଥେଷ୍ଟ ବୃଦ୍ଧି ପାଇଛି।
ଭାରତୀୟ ପାଣିପାଗ ବିଭାଗ (IMD)ର ଆକଳନ ଅନୁଯାୟୀ, ବାତ୍ୟା ‘ଅରନବ’ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହାର ବ୍ୟାପକ ପ୍ରଭାବ ଓଡ଼ିଶାର ଉପକୂଳ ଓ ଦକ୍ଷିଣ ଜିଲ୍ଲାଗୁଡ଼ିକରେ ଦେଖିବାକୁ ମିଳିବ। ଏହି ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବୋଟିଂ ବନ୍ଦ ରଖାଯାଇଛି।




