ବାଲେଶ୍ଵର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ଵର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ଵରରେ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି।ଦେବଗିରି ପାହାଡ଼ରୁ ପ୍ରବଳ ମାତ୍ରାରେ ପାଣି ମାଡ଼ିଆସିବା ଫଳରେ ବାବା ପଞ୍ଚଲିଙ୍ଗେଶ୍ଵରଙ୍କ ପୀଠ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି।ପ୍ରସିଦ୍ଧ ପଞ୍ଚଲିଙ୍ଗ ଉପରେ ପ୍ରାୟ ୭ରୁ ୮ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।

ସ୍ଥିତି ଅନିୟନ୍ତ୍ରିତ ହୋଇପଡ଼ିବାରୁ ସୁରକ୍ଷା ଦୃଷ୍ଟିରୁ ମନ୍ଦିରର ମୁଖ୍ୟ ଫାଟକକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି।ତେବେ ଏହି ଆକସ୍ମିକ ପାଣିର ସ୍ରୋତ ଯୋଗୁଁ ମନ୍ଦିର ପରିସରରେ ୪ ଜଣ ପୂଜକ ଓ ଜଣେ ଟ୍ରଷ୍ଟ ବୋର୍ଡ କର୍ମଚାରୀ ଫସି ରହିଥିବା ଖବର ମିଳିଛି।ପାହାଡ଼ରୁ ଝରିଆସୁଥିବା ଝରଣାର ଜଳସ୍ତର ଓ ପ୍ରବାହ ବୃଦ୍ଧି ପାଇବାରେ ଲାଗିଥିବାରୁ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଶ୍ରାବଣ ମାସ ଚାଲିଥିବାରୁ ବାବା ପଞ୍ଚଲିଙ୍ଗେଶ୍ଵରଙ୍କ ପୀଠରେ ଜଳଲାଗି ପାଇଁ ହଜାର ହଜାର କାଉଡ଼ିଆ ଭକ୍ତଙ୍କ ସମାଗମ ହୋଇଥାଏ।ମାତ୍ର ଏପରି ଲଗାଣ ବର୍ଷା ଓ ପୀଠରେ ପାଣିର ଭୟଙ୍କର ସ୍ରୋତ ଲାଗିରହିଲେ ଆସନ୍ତାକାଲି (ସୋମବାର) ଜଳଲାଗି ପାଇଁ ଆସୁଥିବା କାଉଡ଼ିଆ ଶ୍ରଦ୍ଧାଳୁମାନେ ବ୍ୟାପକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ପ୍ରବଳ ଜଳସ୍ରୋତ ଯୋଗୁଁ ଦେବଗିରି ପାହାଡ଼ିଆ ପଥ ଓ ମନ୍ଦିର ପରିସର ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି।କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନଙ୍କୁ ମନ୍ଦିର ନିକଟକୁ ନ ଯିବା ପାଇଁ ବାରଣ କରାଯାଇଛି।ବନ୍ୟାଜଳ ହ୍ରାସ ନପାଇବା ପର୍ଯ୍ୟନ୍ତ ଏବଂ ପରିସ୍ଥିତି ସ୍ଵାଭାବିକ ନହେବା ଯାଏଁ ମନ୍ଦିର ପରିସରକୁ ସାଧାରଣ ପ୍ରବେଶ ନିଷେଧ ରହିବ।

ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।ପାଣି କମିଲେ ମନ୍ଦିର ପରିସରରୁ ପୋତି ହୋଇଥିବା ପଲି ଓ ଆବର୍ଜନା ସଫା କରାଯାଇ ପୂଜାର୍ଚ୍ଚନା ପୁନର୍ବାର ସ୍ଵାଭାବିକ କରାଯିବ ବୋଲି ସୂଚନା ମିଳିଛି।