ନୂଆଦିଲ୍ଲୀ:
Droupadi Murmuଙ୍କୁ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ‘ଫାଗୁନ’ ମାସିକ ସାନ୍ତାଳୀ ସମ୍ବାଦ ପତ୍ରିକାର ଏକ ପ୍ରତିନିଧି ଦଳ ସାକ୍ଷାତ କରି ସାନ୍ତାଳୀ ଭାଷା, ସଂସ୍କୃତି ଓ ଅଲଚିକି ଲିପି ପ୍ରଚାର ପ୍ରସାର ସମ୍ପର୍କରେ ଆଲୋଚନା କରିଛନ୍ତି। ସୁଲୋଚନା ହାଁସଦାଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ସାନ୍ତାଳୀ ସମସ୍ୟା ଓ ଭାଷା ଉନ୍ନୟନ ନେଇ ମତବିନିମୟ କରିଥିଲେ।
ଏହି ସାକ୍ଷାତକାର ୨୦୨୬ ଫେବୃଆରି ୧୫ ଓ ୧୬ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ଅଲଚିକି ଶତବାର୍ଷିକୀ ଉତ୍ସବ ପରେ ରାଷ୍ଟ୍ରପତିଙ୍କ ସହ ପ୍ରଥମ ଔପଚାରିକ ଭେଟଘାଟ ଥିଲା। ପ୍ରତିନିଧି ଦଳ ଉତ୍ସବକୁ ସଫଳ କରିବାରେ ରାଷ୍ଟ୍ରପତିଙ୍କ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ।
ପ୍ରତିନିଧି ଦଳ ୨୦୨୬-୨୭ ଶିକ୍ଷାବର୍ଷରୁ Central Board of Secondary Education ପାଠ୍ୟକ୍ରମରେ ସାନ୍ତାଳୀ ଭାଷାକୁ ଅନ୍ତର୍ଭୁକ୍ତ କରାଯାଇଥିବାରୁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥିଲେ। ସେମାନଙ୍କ ମତରେ, ଏହା ସାନ୍ତାଳୀ ଭାଷା ଓ ଶିକ୍ଷାର ବିକାଶ ପାଇଁ ଏକ ଐତିହାସିକ ପଦକ୍ଷେପ।
ତେବେ ପ୍ରତିନିଧି ଦଳ National Council of Educational Research and Training ପକ୍ଷରୁ ପ୍ରକାଶିତ ସାନ୍ତାଳୀ ପାଠ୍ୟପୁସ୍ତକରେ ଦେବନାଗରୀ ଲିପି ବ୍ୟବହାରକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ। ସାନ୍ତାଳୀ ଭାଷା ପାଇଁ ଅଲଚିକି ଲିପିକୁ ସରକାରୀ ଭାବେ ପ୍ରଚଳନ କରିବାକୁ ସେମାନେ ଦାବି କରିଥିଲେ।
ଏହା ସହିତ ସାନ୍ତାଳୀ ଭାଷା ଓ ଅଲଚିକି ଲିପିର ପ୍ରଚାର ପ୍ରସାର, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ନେଇ ମଧ୍ୟ ଆଲୋଚନା ହୋଇଥିଲା। ନୂଆଦିଲ୍ଲୀରେ ସାନ୍ତାଳ ସମାଜର ଧର୍ମୀୟ ସ୍ଥଳୀ ‘ଜାହେର ଗାଳ୍’ ସ୍ଥାପନା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ଏହି ଅବସରରେ ସୁଲୋଚନା ହାଁସଦା ରାଷ୍ଟ୍ରପତିଙ୍କୁ ପାରମ୍ପରିକ ସାନ୍ତାଳୀ ଝାଲ୍ ଶାଢ଼ୀ ଉପହାର ସ୍ୱରୂପ ପ୍ରଦାନ କରିଥିଲେ।
ପ୍ରତିନିଧି ଦଳରେ ମାଙ୍ଗାତ ମୁର୍ମୁ, ଅନୁପ ମାଝୀ, ଡ଼. ରଜନୀକାନ୍ତ ମାଣ୍ଡି, ଡ଼. ଫୁଦାନ ସୋରେନ, ସୋମନାଥ ହାଁସଦା, କବିତା ହାଁସଦା, କରୁଣାକର ହାଁସଦା, ସିଙ୍ଗରାୟ ମୁର୍ମୁ, ରତିକାନ୍ତ ମୁର୍ମୁ, ଚୁଡ଼ାମଣି ମୁର୍ମୁ, ରାଇମୋହନ ଟୁଡୁ, ରୀତା ଟୁଡୁ, ଜୟଶ୍ରୀ ଟୁଡୁ, ନୁନାରାମ ହାଁସଦା ଓ ବେଲରାଣୀ ହାଁସଦା ପ୍ରମୁଖ ସାମିଲ ଥିଲେ।




