ଭୁବନେଶ୍ବର: ଓଡ଼ିଶାରେ ବିଜେପି ସରକାରର ସଫଳ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଆନୁଷ୍ଠାନିକ ନିମନ୍ତ୍ରଣକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗ୍ରହଣ କରିଛି ଏବଂ ପ୍ରଧାନମନ୍ତ୍ରୀ ଏହି ଗସ୍ତ ପାଇଁ ସମ୍ମତି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ରାଜ୍ୟର ବିଜେପି କର୍ମୀମାନଙ୍କ ମନୋବଳକୁ ଦ୍ୱିଗୁଣିତ କରିବ ଏବଂ ଓଡ଼ିଶାର ବିକାଶମୂଳକ କାର୍ଯ୍ୟ ପ୍ରତି କେନ୍ଦ୍ରର ସହଯୋଗକୁ ଦର୍ଶାଇବ। ଏହି ହାଇ-ପ୍ରୋଫାଇଲ୍ ଗସ୍ତ ପାଇଁ ସୁରକ୍ଷା, ଜନସମାଗମ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ନେଇ ରାଜ୍ୟ ପ୍ରଶାସନ ଓ ଦଳୀୟ ନେତାମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
ଗସ୍ତର ସଠିକ୍ ତାରିଖ ଏବଂ ସୂଚୀ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନଥିଲେ ମଧ୍ୟ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସ୍ଥାନୀୟ ନେତା, କର୍ମୀ ଓ ଜନସାଧାରଣଙ୍କ ସହ ଆଲୋଚନା କରିବେ। ଏହା ସହିତ ଗତ ଦୁଇ ବର୍ଷର ସଫଳତା ଓ ଆଗାମୀ ଦିନର ବିକାଶର ରୋଡ୍ମ୍ୟାପ୍ ମଧ୍ୟ ଉପସ୍ଥାପନ କରାଯିବ।




