ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଦି ଅର୍ଡର ଅଫ୍ ଦି ହ୍ୱାଇଟ୍ ଡବଲ୍ କ୍ରସ୍’ (ଫାର୍ଷ୍ଟ କ୍ଲାସ) ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗୌରବମୟ ସଫଳତା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତାରେ ଲେଖିଛନ୍ତି, “ଯେଉଁଠାରେ ଦୂରଦୃଷ୍ଟି ସହ ସଂକଳ୍ପର ମିଳନ ହୁଏ, ସେଠାରେ ସମଗ୍ର ବିଶ୍ୱର ନଜର ପଡ଼ିଥାଏ। ସ୍ଲୋଭାକିଆର ଏହି ପ୍ରତିଷ୍ଠିତ ସମ୍ମାନ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ଏବଂ ବିଶ୍ୱ ଦରବାରରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ତାଙ୍କର ଅକୁଣ୍ଠ ପ୍ରତିବଦ୍ଧତାକୁ ଦର୍ଶାଉଛି। ତାଙ୍କ ନେତୃତ୍ୱରେ ଭାରତ ସମଗ୍ର ବିଶ୍ୱରେ ସମ୍ମାନ, ବିଶ୍ୱାସ ଏବଂ ପ୍ରଶଂସା ସାଉଁଟିବାରେ ଲାଗିଛି।”
ସୂଚନାଯୋଗ୍ୟ ଯେ, ‘ଦି ଅର୍ଡର ଅଫ୍ ଦି ହ୍ୱାଇଟ୍ ଡବଲ୍ କ୍ରସ୍’ ହେଉଛି ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ। ରାଜନୀତି, କୂଟନୀତି ଏବଂ ଆନ୍ତର୍ଜାତୀୟ ସମ୍ପର୍କ କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ମୁଖ୍ୟମନ୍ତ୍ରୀଙ୍କ ଏହି ଶୁଭେଚ୍ଛା ବାର୍ତ୍ତା ପ୍ରଧାନମନ୍ତ୍ରୀଙ୍କ ବିଶ୍ୱସ୍ତରୀୟ ଗ୍ରହଣୀୟତା ଏବଂ ବିଶ୍ୱ ଦରବାରରେ ଭାରତର ବଢ଼ୁଥିବା ଗୌରବକୁ ପ୍ରତିପାଦିତ କରୁଛି।




