ଭୁବନେଶ୍ୱର: ଭୁବନେଶ୍ୱରରେ ପୋଲିସକୁ ଚକମା ଦେବା ପାଇଁ ଅପରାଧୀଙ୍କ ନୂଆ ଫର୍ମୁଲା ଏବେ ପୋଲିସ ହାତରେ ଧରାପଡ଼ିଛି। ରୋଗୀ ସେବା ପାଇଁ ବ୍ୟବହୃତ ହେଉଥିବା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କମିଶନରେଟ ପୋଲିସ ଏହାକୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଛକରେ ଜବତ କରିଛି।

ବିଳମ୍ବିତ ରାତ୍ରିରେ ରୋଗୀ ଏମର୍ଜେନ୍ସିର ଆଳ ଦେଖାଇ ଆମ୍ବୁଲାନ୍ସଟି କଟକରୁ ଭୁବନେଶ୍ୱର ଆଡ଼କୁ ଆସୁଥିଲା। ସକାଳୁ ପୋଲିସର ନାକା ଚେକିଂ ବେଳେ ଗାଡ଼ିଟି ଧରାପଡ଼ିଥିଲା।ପାଖାପାଖି ୨୫ କେଜି ଗଞ୍ଜେଇ ସହ ଆମ୍ବୁଲାନ୍ସକୁ ପୋଲିସ ଜବତ କରିଛି।ନୟାପଲ୍ଲୀ ଥାନା ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ବର୍ତ୍ତମାନ ସେମାନଙ୍କର ପୂର୍ବ ଅପରାଧିକ ରେକର୍ଡ (Crime History) ଯାଞ୍ଚ କରାଯାଉଛି।

ଭୁବନେଶ୍ୱର ବିମାନବନ୍ଦରରେ ବ୍ୟାଙ୍କକରୁ ଆସୁଥିବା ଦୁଇ ଜଣ ଯାତ୍ରୀଙ୍କ ଠାରୁ ୩ କୋଟିରୁ ଅଧିକ ଟଙ୍କାର ମାରିଜୁଆନା (ହାଇଡ୍ରୋପୋନିକ ଓ୍ବିଡ୍) ଜବତ ହୋଇଥିଲା। DRI ଟିମ୍ ଟ୍ରଲି ବ୍ୟାଗର ସିକ୍ରେଟ୍ ଚାମ୍ବରରୁ ୬ କେଜି ନିଶାଦ୍ରବ୍ୟ ଜବତ କରି ତାମିଲନାଡୁର ଦୁଇ ଜଣଙ୍କୁ ଗିରଫ କରି କଷ୍ଟମ୍ସ ବିଭାଗକୁ ହସ୍ତାନ୍ତର କରିଥିଲା।