ସୁନ୍ଦରଗଡ଼: ଦାରିଦ୍ର୍ୟ ଓ ଜୀବନ ସଂଘର୍ଷର ଏକ ହୃଦୟବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲାରୁ ସାମ୍ନାକୁ ଆସିଛି। ନିଜ ସନ୍ତାନମାନଙ୍କୁ ଦୁଇବେଳା ଭଲ ଖାଦ୍ୟ ଓ ଶିକ୍ଷା ଦେଇପାରୁନଥିବାରୁ ଜଣେ ଦିନ ମଜୁରିଆ ବାପା ଶେଷରେ ତିନି ସନ୍ତାନଙ୍କୁ ଶିଶୁ କଲ୍ୟାଣ ସମିତି (ସିଡବ୍ଲୁସି) ହାତରେ ସମର୍ପଣ କରିଛନ୍ତି।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅଞ୍ଚଳର ଜଣେ ଦିନ ମଜୁରିଆ ବ୍ୟକ୍ତିଙ୍କ (ପରିଚୟ ଗୋପନ ରଖାଯାଇଛି) ବିବାହ ପ୍ରାୟ ୮ରୁ ୧୦ ବର୍ଷ ପୂର୍ବେ ହୋଇଥିଲା। ଦମ୍ପତିଙ୍କର ତିନି ସନ୍ତାନ ଜନ୍ମ ହୋଇଥିଲେ। ଦିନ ମଜୁରି କରି କଷ୍ଟରେ ଘର ଚଳାଉଥିଲେ ମଧ୍ୟ ସନ୍ତାନଙ୍କ ଭବିଷ୍ୟତ ନେଇ ସେ ଆଶାବାଦୀ ଥିଲେ।

କିନ୍ତୁ ପ୍ରାୟ ୪ ବର୍ଷ ପୂର୍ବେ ପ୍ରଥମ ପତ୍ନୀ ଘର ଛାଡ଼ି ଯାଇଥିବା ପରେ ତିନି ସନ୍ତାନଙ୍କ ପାଳନପୋଷଣର ସମ୍ପୂର୍ଣ୍ଣ ଦାୟିତ୍ୱ ବାପାଙ୍କ ଉପରେ ପଡ଼ିଥିଲା। ପିଲାମାନଙ୍କ ଦେଖାଶୁଣା ପାଇଁ ସେ ଦ୍ୱିତୀୟ ବିବାହ ମଧ୍ୟ କରିଥିଲେ। କିଛିଦିନ ସବୁ ଠିକ୍ ଚାଲିଥିଲା। କିନ୍ତୁ ଦ୍ୱିତୀୟ ପତ୍ନୀଙ୍କ ଗର୍ଭରୁ ଆଉ ଏକ ସନ୍ତାନ ଜନ୍ମ ନେବା ପରେ ପରିସ୍ଥିତି ଆହୁରି ଜଟିଳ ହୋଇଯାଇଥିଲା।

ଦିନ ମଜୁରି କାମକୁ ଯାଇଲେ ପିଲାଙ୍କୁ ଦେଖିବାକୁ କେହି ନଥିଲେ, ଘରେ ରହିଲେ ଆୟ ବନ୍ଦ ହେଉଥିଲା। ଏହି ଅସହାୟ ପରିସ୍ଥିତିରେ ଘଟଣା ଶିଶୁ କଲ୍ୟାଣ ସମିତି (ସିଡବ୍ଲୁସି) ଓ ଚାଇଲ୍ଡ ହେଲ୍ପଲାଇନ୍‌ ପାଖକୁ ପହଞ୍ଚିଥିଲା।

ଚାଇଲ୍ଡ ହେଲ୍ପଲାଇନ୍‌ର ଜିଲ୍ଲା ସଂଯୋଜକ ଓ ଟିମ୍‌ ଘରକୁ ଯାଇ ପରିବାର ସହ ଆଲୋଚନା କରିଥିଲେ ଏବଂ ସରକାରୀ ବ୍ୟବସ୍ଥାରେ ଶିଶୁମାନଙ୍କ ଥଇଥାନ ଓ ଶିକ୍ଷା ସୁବିଧା ସମ୍ପର୍କରେ ଅବଗତ କରାଇଥିଲେ।

ଶେଷରେ ସନ୍ତାନମାନଙ୍କ ଭବିଷ୍ୟତ, ଖାଦ୍ୟ ଓ ପାଠପଢ଼ାକୁ ଆଗରେ ରଖି ବାପା ସେମାନଙ୍କ ଲାଳନପାଳନ ଦାୟିତ୍ୱ ସରକାରୀ ବ୍ୟବସ୍ଥାକୁ ଦେବାକୁ ସମ୍ମତି ଦେଇଥିଲେ।

ଆବଶ୍ୟକ ଆଇନଗତ ପ୍ରକ୍ରିୟା ପୂରଣ ପରେ ତିନି ଶିଶୁଙ୍କୁ ଶିଶୁ କଲ୍ୟାଣ ସମିତିଙ୍କୁ ହସ୍ତାନ୍ତର କରାଯାଇଛି। ପରେ ସେମାନଙ୍କୁ ରାଉରକେଲାସ୍ଥିତ ଏସ୍‌ଓଏସ୍‌ ଭିଲେଜରେ ଥଇଥାନ କରାଯାଇଛି, ଯେଉଁଠାରେ ସେମାନଙ୍କ ଖାଦ୍ୟ, ରହଣି ଓ ଶିକ୍ଷାର ବ୍ୟବସ୍ଥା କରାଯିବ।