ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ସରକାରୀ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଓଡ଼ିଶା ସରକାର ସମୟବଦ୍ଧ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଛନ୍ତି। ଏନେଇ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବିଭାଗୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ଭୁବନେଶ୍ୱରସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ହୋଇଥିବା ଏହି ବୈଠକରେ ଲକ୍ଷ୍ୟଗୁଡ଼ିକର ସଫଳ ରୂପାୟନ, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ଯୋଜନାର ନିୟମିତ ଅନୁଧ୍ୟାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଲକ୍ଷ୍ୟଗୁଡ଼ିକ ଉପରେ ଆଲୋଚନା କରିବା ସହ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ଖୁବ୍ଶୀଘ୍ର ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜନ କରାଯିବ।
୪ଟି ପ୍ରମୁଖ କ୍ଷେତ୍ର ଉପରେ ଫୋକସ୍
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଅକ୍ଟୋବର ୮ ଓ ୯ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ସମ୍ମିଳନୀର ନିଷ୍କର୍ଷ ଆଧାରରେ ରାଜ୍ୟର ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି। ଏଥିରେ ଚାରୋଟି ପ୍ରମୁଖ କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି।
- ପୁଷ୍ଟିସାଧନ ଓ ପ୍ରାରମ୍ଭିକ ଶିଶୁ ବିକାଶ: ଅଙ୍ଗନବାଡ଼ି କେନ୍ଦ୍ରରେ ଦିଆଯାଉଥିବା ରାସନ୍ ଓ ରନ୍ଧା ଖାଦ୍ୟର ଗୁଣବତ୍ତା ବୃଦ୍ଧି, ପୋଷଣ ଟ୍ରାକର୍ ମାଧ୍ୟମରେ ଅନୁଧ୍ୟାନ ଏବଂ ଗୁରୁତର ପୁଷ୍ଟିହୀନ ଶିଶୁଙ୍କୁ ଶୀଘ୍ର ଚିହ୍ନଟ କରି ଚିକିତ୍ସା ପାଇଁ ପଠାଇବା। ଏହା ସହ ଅଙ୍ଗନବାଡ଼ିରେ ପ୍ରାକ୍-ବିଦ୍ୟାଳୟ ଶିକ୍ଷାକୁ ଅଧିକ ଶିଶୁ ଅନୁକୂଳ କରାଯିବ।
- ଶିଶୁ ସୁରକ୍ଷା: ମିସନ୍ ବାତ୍ସଲ୍ୟ ଅଧୀନରେ ଅସୁରକ୍ଷିତ ପରିବାରଗୁଡ଼ିକୁ ଚିହ୍ନଟ କରିବା, ଅନୁଷ୍ଠାନଭିତ୍ତିକ ଯତ୍ନ ବଦଳରେ ପରିବାରଭିତ୍ତିକ ଯତ୍ନକୁ ପ୍ରୋତ୍ସାହନ ଏବଂ ଶିଶୁ ଯତ୍ନ ଅନୁଷ୍ଠାନ ଛାଡ଼ୁଥିବା ପିଲାଙ୍କ ପୁନର୍ବାସ ଓ ପରବର୍ତ୍ତୀ ସହାୟତାକୁ ସୁଦୃଢ଼ କରାଯିବ।
- ମହିଳା ସୁରକ୍ଷା: ୱାନ୍ ଷ୍ଟପ୍ ସେଣ୍ଟର୍ ଓ ୧୮୧ ମହିଳା ହେଲ୍ପଲାଇନ୍କୁ ଅଧିକ ସୁଦୃଢ଼ କରାଯିବ। ରାଜ୍ୟର ବାଲ୍ୟବିବାହ ପ୍ରବଣ ୧୨ଟି ଜିଲ୍ଲାରେ ସଚେତନତା ଓ ଗୋଷ୍ଠୀସ୍ତରୀୟ ଉଦ୍ୟମ ଜରିଆରେ ବାଲ୍ୟବିବାହ ରୋକିବାକୁ ପଦକ୍ଷେପ ନିଆଯିବ। କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ପାଇଁ POSH ନିୟମାବଳୀ ଓ SHe-Box ବ୍ୟବସ୍ଥାର କାର୍ଯ୍ୟକାରିତାକୁ ମଧ୍ୟ ଗୁରୁତ୍ୱ ଦିଆଯିବ।
- ମହିଳା ସଶକ୍ତୀକରଣ: କର୍ମଜୀବୀ ମହିଳାଙ୍କ ପାଇଁ ଶିଶୁ ଯତ୍ନ କେନ୍ଦ୍ର ଓ ହଷ୍ଟେଲ୍ ସୁବିଧା ବୃଦ୍ଧି, ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନାକୁ ସୁଦୃଢ଼ କରିବା ଏବଂ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ସହ ଓଡ଼ିଶାର ‘ମମତା’ ଯୋଜନାର ସମନ୍ୱୟ ଉପରେ ଧ୍ୟାନ ଦିଆଯିବ।
୩୦ ଜିଲ୍ଲାରେ ମହିଳାଙ୍କ ଆର୍ଥିକ ସଶକ୍ତୀକରଣ
ମହିଳାଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ‘ମହିଳା ଆର୍ଥିକ ସଶକ୍ତୀକରଣ ଢାଞ୍ଚା’ କାର୍ଯ୍ୟକାରୀ କରାଯିବ। ଏହା ମାଧ୍ୟମରେ ମହିଳାଙ୍କ ନିଯୁକ୍ତି, ଆୟ, ଉଦ୍ୟୋଗ ଓ ଆର୍ଥିକ ସ୍ୱାଧୀନତାର ସ୍ଥିତି ଅନୁଧ୍ୟାନ କରାଯିବ। ଏଥିସହ ଜିଲ୍ଲାସ୍ତରରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରି କାର୍ଯ୍ୟର ଅଗ୍ରଗତି ଯାଞ୍ଚ କରାଯିବ।
ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର କମିସନର ତଥା ଶାସନ ସଚିବ ଡ. ମୃଣାଳିନୀ ଦର୍ଶୱାଲ, ନିର୍ଦ୍ଦେଶିକା ମୋନିଷା ବାନାର୍ଜୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।




