ରାଇରଙ୍ଗପୁର: ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ଓଡ଼ିଶା ରାଜନୈତିକ ଏବଂ ପ୍ରଶାସନିକ ଦୃଷ୍ଟିରୁ ଏକ ବିଶେଷ ଘଟଣାର ସାକ୍ଷୀ ହୋଇପାରେ। ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମୟରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ବିଶେଷ କରି ଜୁନ୍ ୨୦ରେ ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ରାଇରଙ୍ଗପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି।

ଏହି ଗସ୍ତ ସମ୍ପର୍କରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ଏବଂ ପ୍ରଶାସନିକ ସୂତ୍ର ସୂଚନା ଦେଇଛନ୍ତି।

ରାଇରଙ୍ଗପୁରରେ ନବନିର୍ମିତ ସ୍ପୋର୍ଟସ କମ୍ପ୍ଲେକ୍ସ (ଷ୍ଟାଡିୟମ) ଉଦ୍‌ଘାଟନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସାମିଲ ହେବାର କାର୍ଯ୍ୟସୂଚୀ ଥିବା କୁହାଯାଉଛି। ସେହି ସହ ଏହି ଷ୍ଟାଡିୟମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାମରେ ନାମିତ କରାଯାଇପାରେ

ପାହାଡ଼ପୁର ଗସ୍ତ କରିପାରନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଗସ୍ତ ସମୟରେ ରାଷ୍ଟ୍ରପତି ନିଜ ଜନ୍ମଗାଁ ପାହାଡ଼ପୁର ଯିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ମଧ୍ୟ ସେଠାକୁ ଯାଇପାରନ୍ତି। ପୂର୍ବରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ପୂର୍ବରୁ ତାଙ୍କ ଗାଁ ପରିଦର୍ଶନ କରିବାକୁ ମୋଦୀ ପ୍ରତିଶ୍ରୁତି ଦେଇଥିବା କଥା ଚର୍ଚ୍ଚାରେ ରହିଛି।

ନୂଆ ସଂସ୍ଥାନ ଓ ବିକାଶ ପ୍ରକଳ୍ପର ଶୁଭାରମ୍ଭ

ଏହି ଗସ୍ତ ଅବସରରେ କେନ୍ଦ୍ର ସରକାର ପକ୍ଷରୁ ଓଡ଼ିଶାରେ ଭାରତୀୟ ଜଙ୍ଗଲ ପରିଚାଳନା ସଂସ୍ଥାନ ସ୍ଥାପନ ପ୍ରକଳ୍ପର ଶିଳାନ୍ୟାସ କରାଯାଇପାରେ। ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ସୁଳିଦୁମା ଏହା ପାଇଁ ସମ୍ଭାବ୍ୟ ସ୍ଥାନ ବୋଲି କୁହାଯାଉଛି।

ଏହା ସ୍ଥାପନ ହେଲେ ପୂର୍ବରୁ ଡେରାଡୁନକୁ ପଠାଯାଉଥିବା ବାଘ ଛାଲ ଓ ଅନ୍ୟ ବନ୍ୟଜନ୍ତୁ ସମ୍ବନ୍ଧୀୟ ବୈଜ୍ଞାନିକ ପରୀକ୍ଷା ଓଡ଼ିଶାରେ ହିଁ କରାଯାଇପାରିବ।

ଜନ୍ମଦିନ ପାଳନରେ ସ୍ୱତନ୍ତ୍ର ଆୟୋଜନ

ଜୁନ୍ ୨୦ ରାଷ୍ଟ୍ରପତିଙ୍କ ଜନ୍ମଦିନ ଥିବାରୁ ରାଇରଙ୍ଗପୁରରେ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯିବାର ଯୋଜନା ରହିଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗଦେବାର ସମ୍ଭାବନା ଥିବା ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରପତି ଭାବେ ଏହା ଦ୍ରୌପଦୀ ମୁର୍ମୁଙ୍କ ପଞ୍ଚମ ରାଇରଙ୍ଗପୁର ଗସ୍ତ ହୋଇପାରେ। ସେହିପରି ପ୍ରଧାନମନ୍ତ୍ରୀ ଭାବେ ରାଇରଙ୍ଗପୁର ଗସ୍ତ କରିବାରେ ନରେନ୍ଦ୍ର ମୋଦୀ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହେବେ।