ନୂଆଦିଲ୍ଲୀ: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତିଙ୍କ ସାହସ, ସରଳତା ଓ ଜନସେବା ପ୍ରତି ଥିବା ନିଷ୍ଠାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଗରିବ ଓ ଅବହେଳିତଙ୍କ କଲ୍ୟାଣ ପାଇଁ ତାଙ୍କର ପ୍ରୟାସ ଏବଂ ଦେଶର ବିକାଶ ପ୍ରତି ଉତ୍ସର୍ଗୀକୃତ ମନୋଭାବ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ଆଜି ଓଡ଼ିଶା ଗସ୍ତ ସମୟରେ ସେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି।
ଅପରପକ୍ଷରେ, ୟୋଗୀ ଆଦିତ୍ୟନାଥ ରାଷ୍ଟ୍ରପତିଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଜନଜାତି ସମାଜର ଉତ୍ଥାନ ଏବଂ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ତାଙ୍କର ପ୍ରତିବଦ୍ଧତା ଦେଶବାସୀଙ୍କ ପାଇଁ ଏକ ଅନନ୍ୟ ଉଦାହରଣ ବୋଲି ସେ ପ୍ରକାଶ କରିଛନ୍ତି।
୧୯୫୮ ଜୁନ୍ ୨୦ରେ ମୟୂରଭଞ୍ଜ ଜିଲ୍ଲାର ଉପରବେଡ଼ା ଗ୍ରାମରେ ଏକ ସାନ୍ତାଳୀ ଜନଜାତି ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ସେ ନିଜ ଗାଁର ପ୍ରଥମ ଛାତ୍ରୀ ଭାବେ ମ୍ୟାଟ୍ରିକ ପାସ୍ କରିବା ସହ ୧୯୭୯ରେ ରମାଦେବୀ ମହିଳା କଲେଜରୁ ସ୍ନାତକ ହାସଲ କରିଥିଲେ। ସେ ହେଉଛନ୍ତି ଦେଶର ୧୫ତମ ତଥା ପ୍ରଥମ ଜନଜାତି ମହିଳା ରାଷ୍ଟ୍ରପତି। ଏହାପୂର୍ବରୁ ସେ ୨୦୧୫ ରୁ ୨୦୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ୯ମ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ।
ସମସ୍ତ ସାମାଜିକ ଓ ଆର୍ଥିକ ଆହ୍ୱାନକୁ ପଛରେ ପକାଇ ଏକ ଦୁର୍ଗମ ଗ୍ରାମରୁ ରାଇସିନା ହିଲ୍ସ (ରାଷ୍ଟ୍ରପତି ଭବନ) ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ସମଗ୍ର ଭାରତବର୍ଷ ପାଇଁ ଏକ ଗୌରବର ବିଷୟ।




