ଭୁବନେଶ୍ୱର: ଆଦିବାସୀ ଅଞ୍ଚଳରେ ବିଜ୍ଞାନ ଓ ପ୍ରଯୁକ୍ତିଭିତ୍ତିକ ଶିକ୍ଷାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଷ୍ଟ୍ରପତି Droupadi Murmu ଦେଶବ୍ୟାପୀ ୭୫ଟି ମନୋନୀତ ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ (EMRS)ରେ ‘ସ୍ପେସ୍ ଲ୍ୟାବ୍’ର ଭର୍ଚୁଆଲ୍ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ Jual Oram ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ Durgadas Uikey ଉପସ୍ଥିତ ଥିଲେ।

ଏହି ଜାତୀୟ ପଦକ୍ଷେପରେ ଓଡ଼ିଶାର ୧୩ଟି EMRSକୁ ସ୍ପେସ୍ ଲ୍ୟାବ୍ ସ୍ଥାପନ ପାଇଁ ଚୟନ କରାଯାଇଛି। ଏଥିରେ କୋରାପୁଟ ଜିଲ୍ଲାର କୋଟପାଡ ଓ କୁନ୍ଦ୍ରା, ମାଲକାନଗିରିର ମାଥିଲି, କଳାହାଣ୍ଡିର ଥୁଆମୂଳ ରାମପୁର, କେନ୍ଦୁଝରର ପାଟନା ସହିତ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, ଠାକୁରମୁଣ୍ଡା, ବାରିପଦା, ବଡ଼ସାହି, କପ୍ତିପଦା, କୋଲିଆନା, ରାସଗୋବିନ୍ଦପୁର ଓ ଉଦଳା ଅନ୍ତର୍ଭୁକ୍ତ ରହିଛି।

ଏହି ସ୍ପେସ୍ ଲ୍ୟାବ୍‌ଗୁଡ଼ିକ ମାଧ୍ୟମରେ ଛାତ୍ରଛାତ୍ରୀମାନେ ମହାକାଶ ବିଜ୍ଞାନ, ରୋବୋଟିକ୍ସ, ସାଟେଲାଇଟ୍ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନମୂଳକ ଶିକ୍ଷା ସହ ଯୋଡ଼ି ହୋଇ ବ୍ୟବହାରିକ ଅନୁଭୂତି ହାସଲ କରିପାରିବେ। ଏହା ଦ୍ୱାରା ଆଦିବାସୀ ଅଞ୍ଚଳର ଶିକ୍ଷାର୍ଥୀମାନେ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତିକୁ ନିକଟରୁ ଜାଣିବାର ସୁଯୋଗ ପାଇବେ।

ଏହି ପଦକ୍ଷେପକୁ ଡିଜିଟାଲ୍ ଶିକ୍ଷା ଏବଂ ବୈଜ୍ଞାନିକ ଚିନ୍ତାଧାରାର ବିସ୍ତାର ଦିଗରେ ଏକ ମହତ୍ୱପୂର୍ଣ୍ଣ ଉଦ୍ୟମ ବୋଲି ଦେଖାଯାଉଛି। ବିଶେଷକରି ଆଦିବାସୀ ଯୁବପିଢ଼ିଙ୍କୁ ଭବିଷ୍ୟତରେ ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ମହାକାଶ ଗବେଷଣା କ୍ଷେତ୍ରରେ କ୍ୟାରିଅର୍ ଗଢ଼ିବା ପାଇଁ ଏହା ପ୍ରେରଣା ଯୋଗାଇବ।