ପୁରୀ: ପୁରୀର ବହୁଚର୍ଚ୍ଚିତ ରୋଷେଇ ଘର ସ୍ଲାବ୍ ତଳେ ମା’ର ଶବ ଗାଡ଼ି ସିମେଣ୍ଟ ପ୍ଲାଷ୍ଟର କରିବା ଘଟଣାରେ ପୁରୀ ପୋଲିସକୁ ବଡ଼ ସଫଳତା ମିଳିଛି। ଘଟଣାର ୫୭ ଦିନ ପରେ ଅଭିଯୁକ୍ତ ପୁଅ ମଦନ ଗଜାନନ ଦଳାଇ (୪୦)କୁ ଝାଡ଼ଖଣ୍ଡର ଜାମସେଦପୁର (ଟାଟାନଗର)ରୁ ଗିରଫ କରାଯାଇଛି। ସେଠାରେ ସେ ନିଜର ଆସଲ ପରିଚୟ ଲୁଚାଇ ଏକ ଜଳଖିଆ ଦୋକାନରେ କାମ କରୁଥିଲା ବୋଲି ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୨୪ ତାରିଖରେ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଏକ ଭଡ଼ାଘରୁ ଦୁର୍ଗନ୍ଧ ବାହାରିବାରୁ ଘର ମାଲିକାଣୀ ମନୋରମା ସାହୁ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରୋଷେଇ ଘରର ନୂଆ ପ୍ଲାଷ୍ଟର ହୋଇଥିବା ସ୍ଲାବ୍ ଭାଙ୍ଗି ମୃତ ବୃଦ୍ଧା ଅନ୍ନପୂର୍ଣ୍ଣା ଦଳାଇଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା।

ଏସପି ପ୍ରତୀକ ସିଂଙ୍କ କହିବା ଅନୁଯାୟୀ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର ମଦନ ଓ ତା’ ମା’ ଗତ ୫-୬ ମାସ ହେବ ଏହି ଘରେ ଭଡ଼ାରେ ରହୁଥିଲେ। ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଥିଲା ଯେ, ଦୁହେଁ ସକାଳୁ ବାହାରି ଶ୍ରୀମନ୍ଦିର ନିକଟରେ ଭିକ୍ଷାବୃତ୍ତି କରି ରାତି ପ୍ରାୟ ୧୧ଟାରେ ଘରକୁ ଫେରୁଥିଲେ।

ତଦନ୍ତରୁ ପ୍ରକାଶ ଯେ, ଅଗଷ୍ଟ ୨୦ ତାରିଖରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ଅଭିଯୁକ୍ତ ମଦନ ଅଗଷ୍ଟ ୨୧ରେ ବାଲି ଓ ସିମେଣ୍ଟ ଆଣି ରୋଷେଇ ଘର ମଝିରେ ମା’ର ଶବକୁ ପୋତି କଂକ୍ରିଟ୍ ପ୍ଲାଷ୍ଟର କରିଦେଇଥିଲା। ଘଟଣା ପରେ ସେ ଫେରାର ହୋଇଯାଇଥିଲା।

ଅଭିଯୁକ୍ତ ନିଜ ମୋବାଇଲ୍ ବ୍ୟବହାର କରୁନଥିବାରୁ ତାକୁ ଧରିବା ପୋଲିସ ପାଇଁ କଷ୍ଟକର ଥିଲା। କୋଲକାତାରେ ରହୁଥିବା ତା’ ଭଉଣୀଙ୍କ ମୋବାଇଲ୍ ସୂତ୍ରରୁ ପୋଲିସ ଝାଡ଼ଖଣ୍ଡର ଜାମସେଦପୁର ପର୍ଯ୍ୟନ୍ତ ପହଞ୍ଚିଥିଲା। ତେବେ ସେଠାରୁ ସେ ଖସିଯାଇ ତାମିଲନାଡୁ ଓ ମହାରାଷ୍ଟ୍ର ପଳାଇଥିଲା। ପୋଲିସ ପକ୍ଷରୁ ତା’ ନାଁରେ ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା।

ଶେଷରେ ସେ ପୁଣି ଜାମସେଦପୁର ଫେରି ଏକ ଜଳଖିଆ ଦୋକାନରେ କାମ କରୁଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ କୁମ୍ଭାରପଡ଼ା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରି ତାକୁ ଗିରଫ କରି ପୁରୀ ଆଣିଛି। ଜେରା ସମୟରେ ସେ ନିଜେ ମା’କୁ ହତ୍ୟା କରି ପୋତିଥିବା ନେଇ ସ୍ୱୀକାର କରିଛି।