ପୁରୀ: ପବିତ୍ର ଘୋଷଯାତ୍ରାରେ ଏବର୍ଷ ଭକ୍ତି, ଭାବ ଓ ବର୍ଷାର ଅଦ୍ଭୁତ ସମନ୍ୱୟ ଦେଖିବାକୁ ମିଳିଥିଲା। ଲଗାଣ ବର୍ଷାକୁ ଅବହେଳା କରି ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ଓ ରଥଟଣାରେ ସାମିଲ ହୋଇଥିଲେ। ତେବେ ପହଣ୍ଡି ନୀତିରେ ବିଳମ୍ବ ହେବାରୁ ରଥଟଣା ନିର୍ଦ୍ଧାରିତ ସମୟଠାରୁ ବହୁ ଦେରିରେ ଆରମ୍ଭ ହୋଇଥିଲା। ଶେଷରେ ବିଧି ରକ୍ଷା ପାଇଁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଅଳ୍ପ ଦୂର ଗଡ଼ାଯାଇ ରାତି ହୋଇଯିବାରୁ ରଥଟଣା ବନ୍ଦ କରାଯାଇଥିଲା।

ଏବର୍ଷର ରଥଯାତ୍ରାର ଏକ ବିରଳ ଘଟଣା ଥିଲା, ମହାପ୍ରଭୁ ଶ୍ରୀଜଗନ୍ନାଥ ବିନା ଟାହିଆରେ ରଥାରୂଢ଼ ହେବା। ପହଣ୍ଡି ସମୟରେ ଟାହିଆ ଖସି ପଡ଼ିଥିବାରୁ ତାହା ପୁନଃ ପରିଧାନ କରାଯାଇନଥିଲା। ମହାପ୍ରଭୁ ରଥରେ ବିରାଜମାନ ହେବା ପରେ ଭକ୍ତମାନଙ୍କ ମଧ୍ୟରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା।

ପହଣ୍ଡିରେ ବିଳମ୍ବ, ରଥଟଣା ହେଲା ସନ୍ଧ୍ୟାରେ

ସକାଳ ୯ଟାରେ ପହଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥାରୂଢ଼ ନୀତି ଅପରାହ୍ନ ୩ଟାରେ ଶେଷ ହୋଇଥିଲା। ଏହାପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପାରମ୍ପରିକ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ। ରଥ ପ୍ରସ୍ତୁତି ଶେଷ ହେବା ପରେ ସନ୍ଧ୍ୟାରେ ରଥଟଣା ଆରମ୍ଭ ହୋଇଥିଲା।

ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ି ଟାଉନ ଥାନା ନିକଟରେ ଅଟକିଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ମରୀଚିକୋଟ ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା। ନନ୍ଦିଘୋଷ ରଥ ସନ୍ଧ୍ୟା ୭ଟା ପରେ ଗଡ଼ିଥିଲା ଏବଂ ପ୍ରାୟ ୨୦ ଫୁଟ୍ ଅଗ୍ରସର ହେବା ପରେ ବିଧି ଅନୁଯାୟୀ ରାତି ହୋଇଯିବାରୁ ରଥଟଣା ବନ୍ଦ କରାଯାଇଥିଲା। ଅବଶିଷ୍ଟ ରଥଟଣା ପରଦିନ ସକାଳେ କରାଯିବ।

ବର୍ଷା ସତ୍ତ୍ୱେ ୯ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ

ଲଗାଣ ବର୍ଷା ସତ୍ତ୍ୱେ ବଡ଼ଦାଣ୍ଡରେ ପ୍ରାୟ ୯ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ରଥଯାତ୍ରାରେ ଉପସ୍ଥିତ ଥିଲେ।

ଠେଲାପେଲାରେ ୨ ଭକ୍ତଙ୍କ ମୃତ୍ୟୁ

ରଥଯାତ୍ରାର ଖୁସି ମଧ୍ୟରେ ମରୀଚିକୋଟ ଛକରେ ଘଟିଥିଲା ଏକ ଦୁଃଖଦ ଘଟଣା। ପ୍ରବଳ ଭିଡ଼ ଓ ଠେଲାପେଲା ଯୋଗୁଁ କିଛି ଭକ୍ତ ତଳେ ପଡ଼ିଯାଇଥିଲେ। ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇ ୧୮ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଯାଇଥିଲା। ସେଥିରୁ କେନ୍ଦୁଝରର ଅନୀଲ ଦାସ ଏବଂ ବିଶାଖାପାଟଣାର ଏସ୍‌. ପ୍ରକାଶ ରାଓଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଅନ୍ୟ ୧୬ ଜଣ ଆହତଙ୍କ ମଧ୍ୟରୁ ଅନେକଙ୍କ ହାତ ଓ ଗୋଡ଼ ଭାଙ୍ଗିଥିବା ସହ ଗୁରୁତର ଆଘାତ ଲାଗିଥିବା ସୂଚନା ମିଳିଛି। ସମଗ୍ର ରଥଯାତ୍ରା ସମୟରେ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରୁ ମୋଟ ୩୫୪ ଜଣ ଭକ୍ତଙ୍କୁ ଚିକିତ୍ସା ପାଇଁ ଉଦ୍ଧାର କରାଯାଇଥିବାବେଳେ ୧୦୯ ଜଣଙ୍କୁ ଟ୍ରମା କେୟାରରେ ଭର୍ତ୍ତି କରାଯାଇଥିଲା। ସେଥିରୁ ୧୭ ଜଣଙ୍କ ହାଡ଼ ଭାଙ୍ଗିଥିବା ଜଣାପଡ଼ିଛି।

ସିସିଟିଭି ଫୁଟେଜ୍‌ରୁ ହେବ ତଦନ୍ତ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମରୀଚିକୋଟ ଛକରେ ରାସ୍ତା ସଙ୍କୁଚିତ ଥିବା ସହ ଭକ୍ତଙ୍କ ଆଗମନ ଓ ପ୍ରସ୍ଥାନ ଏକାସାଙ୍ଗରେ ଚାଲିଥିବାରୁ ଠେଲାପେଲା ସୃଷ୍ଟି ହୋଇଥିଲା। ପୁଲିସ ପକ୍ଷରୁ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି।