ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ପବିତ୍ର ‘ଆଡ଼ପ ବିଜେ’ ରୀତିନୀତି। ଶରଧାବାଲିରେ ନିଜ ନିଜର ଭବ୍ୟ ରଥ ଉପରେ ବିରାଜମାନ କରିଥିବା ତିନି ଠାକୁରଙ୍କୁ ଆଜି ସେବାୟତମାନେ ଏକ ସ୍ୱତନ୍ତ୍ର ପହଣ୍ଡି ମାଧ୍ୟମରେ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ନେବେ। ପରମ୍ପରା ଅନୁଯାୟୀ, ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସେମାନଙ୍କର ଜନ୍ମସ୍ଥାନ କୁହାଯାଉଥିବା ‘ଆଡ଼ପ ମଣ୍ଡପ’କୁ ‘ଗୋଟି ପହଣ୍ଡି’ରେ ନିଆଯିବ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ପ୍ରାୟ ୫.୩୦ ମିନିଟ୍ରେ ଶ୍ରୀଜୀଉମାନଙ୍କର ଏହି ଆଡ଼ପ ବିଜେ ପ୍ରକ୍ରିୟା ଆରମ୍ଭ ହେବ। ୯ ଦିନିଆ ରଥଯାତ୍ରା ଉତ୍ସବ ଅବସରରେ ମହାପ୍ରଭୁମାନେ ଗୁଣ୍ଡିଚା ମନ୍ଦିରରେ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଅବସ୍ଥାନ କରିବେ।
ନୀତିକାନ୍ତି ଅନୁସାରେ, ପ୍ରଥମେ ମହାପ୍ରଭୁଙ୍କ ପ୍ରତିନିଧି ଦେବତା ମଦନମୋହନ ଏବଂ ରାମକୃଷ୍ଣଙ୍କୁ ଗୁଣ୍ଡିଚା ମନ୍ଦିର ଭିତରକୁ ନିଆଯାଇ ଏକ ସ୍ୱତନ୍ତ୍ର ଗୃହରେ ରଖାଯିବ। ଏହାପରେ ଚକ୍ରରାଜ ସୁଦର୍ଶନଙ୍କ ଭବ୍ୟ ପହଣ୍ଡି ବିଜେ ଅନୁଷ୍ଠିତ ହେବ।
ସୁଦର୍ଶନଙ୍କ ପରେ ପ୍ରଭୁ ବଳଭଦ୍ରଙ୍କୁ ‘ହରିବୋଲ’, ‘ଜୟ ଜଗନ୍ନାଥ’ ଧ୍ୱନି, ଶଙ୍ଖ ନାଦ ଏବଂ ଘଣ୍ଟଘଣ୍ଟା କାହାଳୀର ପବିତ୍ର ଶବ୍ଦ ମଧ୍ୟରେ ଶ୍ରଦ୍ଧାପୂର୍ବକ ପହଣ୍ଡି କରି ନିଆଯିବ। ତାଙ୍କ ପରେ ଦେବୀ ସୁଭଦ୍ରା ଏବଂ ଶେଷରେ କାଳିଆ ସାଆନ୍ତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୋଟି ପହଣ୍ଡି କରାଯିବ। ଏହାପରେ ତିନି ଭାଇଭଉଣୀ ଗୁଣ୍ଡିଚା ମନ୍ଦିର ଭିତରେ ଥିବା ରତ୍ନବେଦୀ ସଦୃଶ ଆଡ଼ପ ମଣ୍ଡପକୁ ମଣ୍ଡନ କରିବେ।
ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର: ଆସନ୍ତା ରବିବାର ଠାରୁ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କ ପାଇଁ ପ୍ରସିଦ୍ଧ ‘ଆଡ଼ପ ଅବଢ଼ା’ ମହାପ୍ରସାଦ ଉପଲବ୍ଧ ହେବ। ବିଶ୍ୱାସ ରହିଛି ଯେ, ରଥ ବେଦୀ କିମ୍ବା ଆଡ଼ପ ବେଦୀରେ ମହାପ୍ରଭୁଙ୍କ ଦର୍ଶନ ଓ ଅବଢ଼ା ପାଇବା ଦ୍ୱାରା ଅଶେଷ ପୁଣ୍ୟ ମିଳିଥାଏ।




