ପୁରୀ: ଆଜି ପବିତ୍ର ଭାଦ୍ରବ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଶ୍ରୀମନ୍ଦିରରେ ଅତ୍ୟନ୍ତ ନିଷ୍ଠା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହେଉଛି ଜଗତଜନନୀ ଶ୍ରୀରାଧାଙ୍କ ଜନ୍ମୋତ୍ସବ “ରାଧାଷ୍ଟମୀ”। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଠିକ୍ ୧୫ ଦିନ ପରେ ଏହି ସ୍ୱତନ୍ତ୍ର ତିଥି ପଡ଼ୁଥିବା ବେଳେ ଏହି ଅବସରରେ ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି।

ରାଧାଷ୍ଟମୀ ଅବସରରେ ଆଜି ଅପରାହ୍ଣରେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିବେ। ଏହାପରେ ସେ ନଗର ପରିକ୍ରମାରେ ବାହାରି ଭକ୍ତମାନଙ୍କ ଦ୍ୱାରା ଅର୍ପିତ ପନ୍ତି ଭୋଗ ଗ୍ରହଣ କରିବେ।

ନଗର ପରିକ୍ରମା ଶେଷ କରିବା ପରେ ସୁଦର୍ଶନ ମହାପ୍ରଭୁ, ଶ୍ରୀମନ୍ଦିରର ଭଣ୍ଡାର ରକ୍ଷକ ଓ ହିସାବ ରକ୍ଷକ ଭାବେ ପରିଚିତ ଗୌଡ଼ବାଡ଼ ସାହିସ୍ଥିତ ଶ୍ରୀ ଜମ୍ବେଶ୍ୱର ମହାଦେବଙ୍କ ମନ୍ଦିରକୁ ବିଜେ କରିବେ। ସେଠାରେ ସୁଦର୍ଶନଙ୍କ ପାଇଁ ଶୀତଳ ଭୋଗ ଓ ପ୍ରସାଦ ଲାଗି ନୀତି ସମ୍ପନ୍ନ ହେବ।

ଏହି ସ୍ୱତନ୍ତ୍ର ନୀତି ଅନୁଯାୟୀ, ଜମ୍ବେଶ୍ୱରଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ (ଜମା-ଖରଚ) ହିସାବ ଚକ୍ରରାଜ ସୁଦର୍ଶନଙ୍କ ସମ୍ମୁଖରେ ପାଠ କରିବେ। ଏହି ବାର୍ଷିକ ହିସାବ ସଂଗ୍ରହ କରିବା ପରେ ଚକ୍ରରାଜ ସୁଦର୍ଶନ ପୁନର୍ବାର ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ରହିଛି।