ଭୁବନେଶ୍ଵର: ଓଡ଼ିଶାର ଗଣପର୍ବ ‘ରଜ’ ଅବସରରେ ରାଜ୍ୟପାଳ ଡଃ ହରି ବାବୁ କମ୍ଭମ୍ପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।ରାଜ୍ୟପାଳ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ରଜ ହେଉଛି ଓଡ଼ିଶାର ସଂସ୍କୃତି, ପ୍ରକୃତି, ପ୍ରଗତି ଏବଂ ପରମ୍ପରାର ଏକ ମହାନ ପର୍ବ। ଏହି ପର୍ବ ମଧ୍ୟରେ ପରିବେଶ ସୁରକ୍ଷାର ବାର୍ତ୍ତା ନିହିତ ରହିଛି। ଏହା ଧରିତ୍ରୀ ମାତାର ମହାନତାକୁ ପ୍ରତିପାଦିତ କରିବା ସହ ସମାଜରେ ଭାତୃଭାବ, ବନ୍ଧୁତା ଓ ସଦଭାବନାକୁ ସୁଦୃଢ଼ କରିଥାଏ।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ (ପୂର୍ବରୁ ଟ୍ୱିଟର)ରେ ଶୁଭେଚ୍ଛା ଜଣାଇ ରଜକୁ ଓଡ଼ିଆ ଅସ୍ମିତାର ଜୀବନ୍ତ ପ୍ରତୀକ ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି: ରଜ କେବଳ ଏକ ଋତୁ ପରିବର୍ତ୍ତନର ସୂଚକ ନୁହେଁ, ବରଂ ଏହା ପ୍ରକୃତି ପ୍ରତି କୃତଜ୍ଞତା ଏବଂ ନାରୀତ୍ୱ ପ୍ରତି ଗଭୀର ସମ୍ମାନର ଏକ ଅନନ୍ୟ ଅଭିବ୍ୟକ୍ତି।

ଏହି ପରମ୍ପରା ନାରୀତ୍ୱର ପବିତ୍ରତା, ସୃଜନଶୀଳ ଶକ୍ତି ଏବଂ ମାତୃତ୍ୱର ଗୌରବକୁ ସର୍ବୋଚ୍ଚ ସ୍ଥାନ ଦେଇ ଓଡ଼ିଆ ଜାତିର ଆତ୍ମସମ୍ମାନକୁ ବୃଦ୍ଧି କରିଛି।ତିନି ଦିନ ଧରି ପାଳିତ ହେଉଥିବା ଏହି କୃଷି ଭିତ୍ତିକ ପର୍ବ ମୌସୁମୀର ଆଗମନକୁ ସୂଚାଉଥିବା ବେଳେ ମାଟି ଓ ନାରୀର ସୃଜନଶୀଳ ଶକ୍ତିକୁ ସମ୍ମାନ ଜଣାଇବା ପାଇଁ ପାଳନ କରାଯାଏ।