ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ପୁସ୍ତକ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ଆସନ୍ତା ନଭେମ୍ବର ୧୫ ରୁ ୨୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆ ରେ ଅନୁଷ୍ଠିତ ହେବାକୁ ଯାଉଛି ବହୁପ୍ରତୀକ୍ଷିତ ‘ରାଜଧାନୀ ପୁସ୍ତକ ମେଳା’।
ମେଳା କମିଟିର ସଭାପତି ଉପେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପୁସ୍ତକ ମେଳାର ତାରିଖ ଚୂଡ଼ାନ୍ତ କରାଯାଇଛି। ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ବାର୍ଷିକ ପୁସ୍ତକ ମହୋତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରର ବହୁ ପାଠକ, ଲେଖକ, ପ୍ରକାଶକ ଏବଂ ସାହିତ୍ୟ ପ୍ରେମୀ ଏକାଠି ହେବେ।
ଚଳିତ ବର୍ଷ ପୁସ୍ତକ ମେଳାର ବିଶେଷ ଆକର୍ଷଣ ଭାବେ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୨ଟି ଭିନ୍ନ ଭିନ୍ନ ବିଭାଗରେ ପ୍ରସିଦ୍ଧ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯିବ।
ପୁସ୍ତକ ମେଳାରେ ଷ୍ଟଲ୍ ବୁକିଂ କିମ୍ବା ଅନ୍ୟାନ୍ୟ ବିବରଣୀ ପାଇଁ ଆଗ୍ରହୀ ବ୍ୟକ୍ତି ଓ ପ୍ରକାଶକମାନେ ଆୟୋଜକଙ୍କ ସହ ମୋବାଇଲ୍ ନମ୍ବର 9437133368 କିମ୍ବା 7008454251 ରେ ଯୋଗାଯୋଗ କରିପାରିବେ।
ଏହି ପ୍ରସ୍ତୁତି ବୈଠକରେ କମିଟିର ଆହ୍ୱାୟକ ରମେଶ ଚନ୍ଦ୍ର ସ୍ୱାଇଁ, ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ଏବଂ ସଦସ୍ୟ ବିରକିଶୋର ପ୍ରଧାନ ଓ କମଳିନୀ ମଲ୍ଲିକ ଉପସ୍ଥିତ ଥିଲେ। ଏହାସହ ଏକାମ୍ର ପୁସ୍ତକ ମହୋତ୍ସବ କମିଟିର ସଭାପତି ପୀତାମ୍ବର ରାଉତରାୟ, ଉପସଭାପତି ଅଭୟ ନାୟକ ଏବଂ ସମ୍ପାଦକ ଭାସ୍କର ଜେନା ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ।




