ଭୁବନେଶ୍ଵର: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମପ୍ରବାହ କେବଳ ଶରୀରକୁ ଅସୁସ୍ଥ କରୁନାହିଁ, ବରଂ ଏହା ଲୋକଙ୍କ ଚକ୍ଷୁ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗମ୍ଭୀର ପ୍ରଭାବ ପକାଉଛି। ବର୍ତ୍ତମାନ ସମୟରେ ଆଖି ଶୁଖିଯିବା, ନାଲି ପଡ଼ିବା, ଜଳାପୋଡ଼ା ହେବା ଏବଂ ଆଲର୍ଜି ଭଳି ସମସ୍ୟା ନେଇ ଅଭିଯୋଗ ସଂଖ୍ୟା ବହୁତ ବଢ଼ିଯାଇଥିବା ଚକ୍ଷୁ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ସୂର୍ଯ୍ୟଙ୍କ ତୀବ୍ର ଅତିବାଇଗଣୀ ବିକିରଣ, ଗରମ ପବନ, ଧୂଳିବଳୟ ଏବଂ ଶରୀରରେ ଜଳଶୁଷ୍କତା ଏହାର ମୁଖ୍ୟ କାରଣ ବୋଲି ଡାକ୍ତରମାନେ କହିଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଏସି (AC) ର ବ୍ୟବହାର ଏବଂ ଅତ୍ୟଧିକ ଡିଜିଟାଲ ସ୍କ୍ରିନ୍ ଆଖି ଉପରେ ଚାପ ବଢ଼ାଉଛି। ବିଶେଷ କରି ଗ୍ରୀଷ୍ମ ଛୁଟିରେ ପିଲାମାନେ ଅଧିକ ସମୟ ମୋବାଇଲ୍ ଓ ଟାବ୍ଲେଟ୍ରେ ବ୍ୟସ୍ତ ରହୁଥିବାରୁ ସେମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଉଛି।
ଉଚ୍ଚ ତାପମାତ୍ରା ଆଖିର ପ୍ରାକୃତିକ ଲୁହ ସ୍ତରକୁ ଶୁଖାଇ ଦେଉଛି, ଯାହା ଚକ୍ଷୁ ସ୍ୱାସ୍ଥ୍ୟକୁ ବିପଦରେ ପକାଉଛି।ଏମ୍ସ (AIIMS) ନୂଆଦିଲ୍ଲୀର ସହକାରୀ ଚକ୍ଷୁ ପ୍ରଫେସର ଡାକ୍ତର ଅନୁ ମଲିକ ମଧ୍ୟ ଗ୍ରୀଷ୍ମ ଋତୁରେ ଚକ୍ଷୁ ଯତ୍ନ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏକ ଜରୁରି ଡାକ୍ତରୀ ଆବଶ୍ୟକତା ବୋଲି କହିଛନ୍ତି।
ଆଖିର ଦୃଷ୍ଟିଶକ୍ତି ସୁରକ୍ଷିତ ରଖିବା ପାଇଁ ବିଶେଷଜ୍ଞମାନେ ନିମ୍ନଲିଖିତ ପାଞ୍ଚଟି ନିୟମ ପାଳନ କରିବାକୁ ସୁପାରିସ କରିଛନ୍ତି:
*ନିୟମିତ ଆଖିରେ ପାଣି ଛାଟିବା:ସମୟାନ୍ତରରେ ସ୍ୱଚ୍ଛ ଥଣ୍ଡା ପାଣିରେ ଆଖିକୁ ଧୋଇବା ଉଚିତ।
*ୟୁଭି-ସୁରକ୍ଷା ଚଷମା ପିନ୍ଧିବା: ଖରାକୁ ବାହାରିବା ସମୟରେ ସୂର୍ଯ୍ୟଙ୍କ କ୍ଷତିକାରକ କିରଣରୁ ରକ୍ଷା ପାଇବା ପାଇଁ ଭଲ ୟୁଭି-ପ୍ରୋଟେକ୍ଟେଡ୍ ସନଗ୍ଲାସ୍ ବ୍ୟବହାର କରନ୍ତୁ।
*ଏସି (AC) ବାୟୁରୁ ଦୂରେଇ ରହିବା: ଏୟାର୍ କଣ୍ଡିସନର୍ରୁ ବାହାରୁଥିବା ସିଧାସଳଖ ବାୟୁ ପ୍ରବାହ ଯେପରି ସିଧା ଆଖିରେ ନ ବାଜିବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ।
*ନିଜେ ନିଜେ ଔଷଧ ନେବା ବନ୍ଦ କରିବା: ଆଖିରେ ସମସ୍ୟା ହେଲେ ନିଜ ଇଚ୍ଛାରେ କୌଣସି ଆଇ-ଡ୍ରପ୍ ନ ପକାଇ ତୁରନ୍ତ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ।
*୨୦-୨୦-୨୦ (20-20-20) ନିୟମର ଅଭ୍ୟାସ: ଡିଜିଟାଲ୍ ସ୍କ୍ରିନ୍ ବ୍ୟବହାର ସମୟରେ ଆଖିକୁ ଆରାମ ଦେବା ପାଇଁ ଏହି ନିୟମ ଅତ୍ୟନ୍ତ ଜରୁରୀ ।
କ’ଣ ଏହି ୨୦-୨୦-୨୦ ନିୟମ?
କମ୍ପ୍ୟୁଟର, ଲାପଟପ୍ କିମ୍ବା ମୋବାଇଲ୍ ସ୍କ୍ରିନ୍କୁ ଦେଖିବା ସମୟରେ ପ୍ରତି ୨୦ ମିନିଟ୍ରେ ଥରେ, ଅତିକମରେ ୨୦ ସେକେଣ୍ଡର ବିରତି ନିଅନ୍ତୁ ଏବଂ ନିଜଠାରୁ ପ୍ରାୟ ୨୦ ଫୁଟ ଦୂରରେ ଥିବା କୌଣସି ଜିନିଷକୁ ଦେଖିବାକୁ ଚେଷ୍ଟା କରନ୍ତୁ। ଏହା ଦ୍ୱାରା ଆଖିର ଥକ୍କାପଣ ଦୂର ହୋଇଥାଏ।




