ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ଦିଲ୍ଲୀର ଜଣେ ଯୁବତୀ ଏବଂ ଗୁଜରାଟର ଜଣେ ଯୁବ ଫେଲୋସିପ୍ କର୍ମୀଙ୍କୁ ପିଲାଚୋର ଗୁଜବରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ପୋଲିସ ଶନିବାର ଆଉ ୫ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୨୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି। ଘଟଣାସ୍ଥଳରୁ ମିଳିଥିବା ସିସିଟିଭି ଫୁଟେଜ୍, ଡିଜିଟାଲ୍ ପ୍ରମାଣ ଏବଂ ଭିଡିଓ ଆଧାରରେ ଏହି ଗିରଫଦାରୀ ହୋଇଛି। ଏହାପୂର୍ବରୁ ଗୁରୁବାର ଦିନ ୧୬ ଜଣଙ୍କୁ ଗିରଫ କରାଯାଇଥିଲା।

ଜୁନ୍ ୧୬ (ମଙ୍ଗଳବାର) ରାତିରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଦିଲ୍ଲୀର ଯୁବତୀ ଜଣକ କଳାହାଣ୍ଡି ଜିଲ୍ଲାରେ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସୁରଟର ଯୁବକ ଜଣକ କନ୍ଧମାଳରେ ହଳଦୀ ପ୍ୟାକେଜିଂ ପ୍ରକଳ୍ପରେ ସ୍ବେଚ୍ଛାସେବୀ ସଂଗଠନ ସହ ମିଶି କାମ କରୁଥିଲେ। ସେମାନେ ଏକ ସ୍କୁଟର ଯୋଗେ କନ୍ଧମାଳର ଦାରିଙ୍ଗବାଡ଼ିରୁ କଳାହାଣ୍ଡିର ଥୁଆମୂଳ ରାମପୁର ଯାଉଥିବା ବେଳେ ଗୁଗଲ୍ ମ୍ୟାପ୍ ଯୋଗୁଁ ବାଟ ହୁଡ଼ି କଲ୍ୟାଣସିଂହପୁର ଅଞ୍ଚଳରେ ପହଞ୍ଚିଥିଲେ।

ସିଲେଟ୍ ପଞ୍ଚାୟତର କାନ୍ଦୁଲଗୁଡ଼ା ଗ୍ରାମ ନିକଟରେ ସେମାନେ ବାଟ ପଚାରିବା ପାଇଁ ଅଟକିଥିଲେ ଏବଂ ରଜ ପର୍ବ ପାଳନ କରୁଥିବା କିଛି ପିଲାଙ୍କୁ ଚକୋଲେଟ୍ ବାଣ୍ଟିଥିଲେ। ଏହାକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ‘ପିଲାଚୋର’ ଗୁଜବ ବ୍ୟାପି ଯାଇଥିଲା ଏବଂ ଫୋନ୍ କଲ୍ ମାଧ୍ୟମରେ ଆଖପାଖ ଗାଁରେ ଏହି ମିଥ୍ୟା ଖବର ପ୍ରସାରିତ ହୋଇଥିଲା।

ପରିଚୟ ପତ୍ର ଦେଖାଇବା ସତ୍ତ୍ୱେ ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ଆକ୍ରମଣ କରିଥିଲେ। ଭୟରେ ସେମାନେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଧମୁନିପଙ୍ଗା ପଞ୍ଚାୟତ ନିକଟରେ ସ୍କୁଟରଟି ସ୍ଲିପ୍ କରିଯାଇଥିଲା ଏବଂ ଏକ ବଡ଼ ଦଳ ସେମାନଙ୍କୁ ଧରି ନିର୍ଧୁମ ମାଡ଼ ମାରିଥିଲେ, ଯେଉଁଥିରେ ଉଭୟ ଆହତ ହୋଇଥିଲେ।

ରାୟଗଡ଼ା ଏସପି ରାଜ ପ୍ରସାଦ କହିଛନ୍ତି ଯେ କଲ୍ୟାଣସିଂହପୁର ପୋଲିସର ତତ୍ପରତା ଯୋଗୁଁ ଉଭୟ ପୀଡ଼ିତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ମେଡିକାଲ ଓ ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେମାନେ ସୁସ୍ଥ ହୋଇ ଡିସଚାର୍ଜ ହୋଇସାରିଛନ୍ତି। ଏହି ଘଟଣାରେ ପୋଲିସ ୪ଟି ପୃଥକ ମାମଲା ରୁଜୁ କରି ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରଖିଛି।