ରାୟଗଡ଼ା: ମାଓ ବିରୋଧୀ ଅଭିଯାନରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ରଘୁବାରୀ ସଂରକ୍ଷିତ ଜଙ୍ଗଲରୁ ଏକ ବଡ଼ ଧରଣର ମାଓବାଦୀ ଡମ୍ପ ଠାବ କରାଯାଇଛି। ସେଠାରୁ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଥିବା ନେଇ ଶନିବାର ପୋଲିସ ସୂଚନା ଦେଇଛି।

ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ରାୟଗଡ଼ା ଏସପି ରାଜ ପ୍ରସାଦ କହିଛନ୍ତି ଯେ, ନିକଟରେ ଆତ୍ମସମର୍ପଣ କରିଥିବା ୧୬ ଜଣ ମାଓବାଦୀଙ୍କୁ ପଚରାଉଚରା ବେଳେ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରୀ ଫୋର୍ସ (DVF) ଏବଂ ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG) ପକ୍ଷରୁ ଏହି ମିଳିତ ଅଭିଯାନ ଚଲାଯାଇଥିଲା।ଏହି ନିର୍ଦ୍ଦିଷ୍ଟ ସୂଚନାକୁ ଭିତ୍ତି କରି ମିଳିତ ସୁରକ୍ଷା ବାହିନୀ ଜଙ୍ଗଲ ମଧ୍ୟରେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ, ଯାହା ଜୁଲାଇ ୨ ତାରିଖରେ ଶେଷ ହୋଇଥିଲା। ଜଙ୍ଗଲର ଏକ ସନ୍ଦେହଜନକ ସ୍ଥାନ ଚିହ୍ନଟ ହେବା ପରେ ବୋମା ନିଷ୍କ୍ରିୟକାରୀ ଦଳ ର ସହାୟତାରେ ସେଠାରେ ମାଟି ତଳେ ଲୁଚାଇ ରଖାଯାଇଥିବା ଏହି ବଡ଼ ମାଓ ଡମ୍ପକୁ ଖୋଦନ କରାଯାଇଥିଲା।

ଉଦ୍ଧାର ହୋଇଥିବା ସାମଗ୍ରୀ ମଧ୍ୟରେ ରହିଛି:

.୩୦୩ ରାଇଫଲ୍ସ ଏବଂ ଷ୍ଟେନ୍ ଗନ୍‌ର କିଛି ଅଂଶ

.୩୭ ରାଉଣ୍ଡ .୩୦୩ ଗୁଳି ଏବଂ ୨୫ ରାଉଣ୍ଡ ୯ ଏମଏମ୍ ଗୁଳି

.ଦେଶୀ ବନ୍ଧୁକ ଏବଂ ଷ୍ଟେନ୍ ମାଗାଜିନ୍

.କୋର୍ଡେକ୍ସ ତାର, ବାରୁଦ ଏବଂ ବହୁ ପରିମାଣର ମାଓବାଦୀ ସାହିତ୍ୟ/ବ୍ରୋସର

ଏହା ବ୍ୟତୀତ ମାଓବାଦୀମାନଙ୍କ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଯେପରିକି ଛତା, କମ୍ବଳ, ଲୁଣ, ଜୋତା ଏବଂ ପୋଷାକପତ୍ର ମଧ୍ୟ ଜବତ କରାଯାଇଛି।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ସମସ୍ତ ସାମଗ୍ରୀ ନିଷିଦ୍ଧ ସଂଗଠନ ସିପିଆଇ (ମାଓବାଦୀ)ର ‘ବଂଶଧାରା-ଘୁମୁସର-ନାଗାବଳୀ’ ଡିଭିଜନର ଅଟେ। ସେମାନେ ସୁରକ୍ଷାକର୍ମୀ କିମ୍ବା ସାଧାରଣ ଜନତାଙ୍କୁ ଟାର୍ଗେଟ୍ କରିବା ଉଦ୍ଦେଶ୍ୟରେ ଏଗୁଡ଼ିକୁ ଜଙ୍ଗଲରେ ଲୁଚାଇ ରଖିଥିଲେ।

ଏସପି ପ୍ରସାଦ ଆହୁରି କହିଛନ୍ତି ଯେ, ଜିଲ୍ଲାରେ ମାଓବାଦୀଙ୍କ ସ୍ଥିତି ଏବେ ବହୁତ ଦୁର୍ବଳ ହୋଇଯାଇଛି। ତଥାପି, ବାମପନ୍ଥୀ ଉଗ୍ରବାଦକୁ ସମ୍ପୂର୍ଣ୍ଣ ରୂପେ ମୂଳପୋଛ କରିବା ପାଇଁ ଆଗାମୀ ଦିନରେ ମଧ୍ୟ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରେ ସର୍ଚ୍ଚ ଏବଂ କମ୍ବିଂ ଅପରେସନ୍ ଜାରି ରହିବ। ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୧୩ ତାରିଖରେ ମଧ୍ୟ ଧେପାଗୁଡ଼ା ସଂରକ୍ଷିତ ଜଙ୍ଗଲରୁ ଏଭଳି ଏକ ମାଓବାଦୀ ଡମ୍ପ ଉଦ୍ଧାର କରାଯାଇଥିଲା।

୨୦୨୫ ଜାନୁଆରୀରୁ ଏପର୍ଯ୍ୟନ୍ତ ପ୍ରାୟ ୧୬ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିସାରିଛନ୍ତି, ଯାହାଫଳରେ ପୋଲିସକୁ ବଡ଼ ସଫଳତା ମିଳୁଛି।