ଦେଓଗଡ଼: ଝିଅର ପ୍ରେମିକଙ୍କୁ ହତ୍ୟା କରି ତାଙ୍କ ମୃତଦେହ ପୋଡ଼ିଦେବା ଅଭିଯୋଗରେ ଦେଓଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଜେଲ୍ ପଠାଯାଇଛି। ମୃତକ ହେଉଛନ୍ତି ବାବରାକୋଟ ଗାଁର ୨୮ ବର୍ଷୀୟ ସିଲୁ ରାୟ।
ପୁଲିସ ସୂଚନା ଅନୁସାରେ, ସିଲୁଙ୍କର ଅଭିଯୁକ୍ତଙ୍କ ଝିଅଙ୍କ ସହ ଦୀର୍ଘଦିନ ଧରି ସମ୍ପର୍କ ଥିଲା। ବୁଧବାର ରାତିରେ ସିଲୁ ଯୁବତୀଙ୍କ ଘରକୁ ଯାଇଥିବା ବେଳେ ସେଠାରେ ବଚସା ହୋଇଥିଲା। ଏହାପରେ ସିଲୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ମୃତଦେହ ପୋଡ଼ିଦେବା ଅଭିଯୋଗ
ଘଟଣା ପରେ ସିଲୁଙ୍କ ମୃତଦେହ ଘରର ବାରଣ୍ଡାରେ ଥିବା ବେଳେ ତାହାକୁ ପେଟ୍ରୋଲ ଢାଳି ପୋଡ଼ିଦିଆଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲା।
୭ ଜଣଙ୍କ ନାଁରେ ମାମଲା
ସିଲୁଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୁଲିସ ୭ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଯୁବତୀ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ପୁଲିସ ପଚରାଉଚରା କରୁଛି। ଘଟଣାରେ କାହାର କେତେ ଭୂମିକା ରହିଛି, ତାହାର ତଦନ୍ତ ଚାଲିଛି।
ପୁଲିସ ବୈଜ୍ଞାନିକ ଟିମ୍ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି। ମୃତଦେହର ବ୍ୟବଚ୍ଛେଦ ମଧ୍ୟ କରାଯାଇଛି। ତଦନ୍ତ ଆଗକୁ ବଢ଼ିବା ପରେ ଘଟଣାର ସମ୍ପୂର୍ଣ୍ଣ କାରଣ ଓ ଅନ୍ୟ ଅଭିଯୁକ୍ତଙ୍କ ଭୂମିକା ସ୍ପଷ୍ଟ ହେବ।




