ଭୁବନେଶ୍ୱର: ଦୀର୍ଘ ବ୍ୟବଧାନ ପରେ ନୂଆ ରୂପରେ ଫେରିଛି ଓଡ଼ିଶାର ଐତିହାସିକ କଳିଙ୍ଗ ଷ୍ଟୁଡିଓ। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁନର୍ବିକଶିତ କଳିଙ୍ଗ ଷ୍ଟୁଡିଓ ପରିସରକୁ ଲୋକାର୍ପଣ କରିଛନ୍ତି। ପ୍ରାୟ ୧୬୫ କୋଟି ଟଙ୍କା ବ୍ୟୟରେ ଷ୍ଟୁଡିଓକୁ ଆଧୁନିକୀକରଣ କରାଯାଇଛି। ଏହାକୁ ଓଡ଼ିଆ ଫିଲ୍ମ ଶିଳ୍ପ ପାଇଁ ଏକ ସମ୍ପୂର୍ଣ୍ଣ ଫିଲ୍ମ ପ୍ରଡକ୍ସନ୍‌ ଇକୋସିଷ୍ଟମ୍‌ ଭାବେ ବିକଶିତ କରାଯାଇଛି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଧୁନିକ ସୁବିଧା ସହ କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ ଫିଲ୍ମ ନିର୍ମାଣ କେନ୍ଦ୍ର ଭାବେ ଗଢ଼ିବା ଦିଗରେ ସରକାର କାମ କରୁଛନ୍ତି। ଆଗାମୀ ଦିନରେ ଆହୁରି ଉନ୍ନତ ଭିତ୍ତିଭୂମି ଯୋଡ଼ାଯିବ। ଚଳଚ୍ଚିତ୍ର କ୍ଷେତ୍ର ପାଇଁ ୨୦୨୭ ସୁଦ୍ଧା ନୂଆ ନୀତି ଆଣିବା ଏବଂ ଓଡ଼ିଶାରେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ ଆୟୋଜନ ନେଇ ମଧ୍ୟ ବିଚାର ଚାଲିଥିବା ସେ କହିଛନ୍ତି।

ଏକାଠି ମିଳିବ ଶୁଟିଂରୁ ପୋଷ୍ଟ-ପ୍ରଡକ୍ସନ୍‌ ସୁବିଧାନୂଆ କଳିଙ୍ଗ ଷ୍ଟୁଡିଓରେ ଫିଲ୍ମ ନିର୍ମାଣର ବିଭିନ୍ନ ପର୍ଯ୍ୟାୟ ପାଇଁ ଆଧୁନିକ ବ୍ୟବସ୍ଥା କରାଯାଇଛି। ଇନ୍‌ଡୋର ଶୁଟିଂ ଫ୍ଲୋର, ସାଉଣ୍ଡ ରେକର୍ଡିଂ, ଡବିଂ, ଏଡିଟିଂ, ପୋଷ୍ଟ-ପ୍ରଡକ୍ସନ୍‌, ସାଉଣ୍ଡ କଣ୍ଟ୍ରୋଲ୍‌, ଆନିମେସନ୍‌ ଓ ଫଟୋଗ୍ରାଫି ଭଳି ସୁବିଧା ରହିଛି।

ଏହା ସହ ସ୍ନୋ ୱାର୍ଲ୍ଡ, କ୍ରୋମା ଫ୍ଲୋର ଓ ଫିଲ୍ମ ଟେକ୍‌ ଜୋନ୍‌ ଭଳି ସୁବିଧା ରହିଛି। ଭର୍ଚୁଆଲ୍‌ ପ୍ରଡକ୍ସନ୍‌ ଓ ଏଆଇ ଆଧାରିତ ପ୍ରଯୁକ୍ତିର ବ୍ୟବହାର ମଧ୍ୟ କରାଯିବ। ଏହା ଫଳରେ ଆଧୁନିକ ଟେକ୍ନୋଲୋଜି ପାଇଁ ଓଡ଼ିଆ ଫିଲ୍ମ ନିର୍ମାତାଙ୍କୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବା ଆବଶ୍ୟକତା କମିବ।

ଏୟାରପୋର୍ଟରୁ ଆମାଜନ୍‌ ଜଙ୍ଗଲ, ରହିଛି ବିଭିନ୍ନ ଥିମ୍‌ ସେଟ୍‌ଶୁଟିଂକୁ ସହଜ କରିବା ପାଇଁ ଷ୍ଟୁଡିଓ ପରିସରରେ ବିଭିନ୍ନ ଥିମ୍‌ର ସେଟ୍‌ ମଧ୍ୟ ନିର୍ମାଣ କରାଯାଇଛି। ଏୟାରପୋର୍ଟ, ରେଳ ଷ୍ଟେସନ୍‌, ରାଜପ୍ରାସାଦ, ଗାଁ, ସପିଂ ମଲ୍‌, ଜଙ୍ଗଲ, ନଦୀ, ଆମାଜନ୍‌ ଜଙ୍ଗଲ ଓ ହଣ୍ଟେଡ୍‌ ହାଉସ୍‌ ସହିତ ବରଫାବୃତ ପରିବେଶର ସେଟ୍‌ ମଧ୍ୟ ରହିଛି। ଏହା ଫଳରେ ଭିନ୍ନ ଭିନ୍ନ ଲୋକେସନ୍‌ ପାଇଁ ବାହାରକୁ ଯିବା ଆବଶ୍ୟକତା କମିପାରିବ।

ସିନେମା ସହ ଓଡ଼ିଶାର ଚଳଚ୍ଚିତ୍ର ଇତିହାସକୁ ସଂରକ୍ଷଣକଳିଙ୍ଗ ଷ୍ଟୁଡିଓରେ ଏକ ସ୍ୱତନ୍ତ୍ର ଆର୍କାଇଭ୍‌ ଓ ମ୍ୟୁଜିୟମ୍‌ ମଧ୍ୟ ପ୍ରତିଷ୍ଠା କରାଯାଇଛି। ଏଠାରେ ଓଡ଼ିଆ ସିନେମାର ପୁରୁଣା ଫିଲ୍ମ, ପୋଷ୍ଟର, ଫଟୋଗ୍ରାଫ୍‌ ଓ ଐତିହାସିକ ଦସ୍ତାବିଜ ସଂରକ୍ଷିତ ହେବ। ଏହା ଓଡ଼ିଆ ଚଳଚ୍ଚିତ୍ରର ଇତିହାସକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବାରେ ସହାୟକ ହେବ।

୧୯୮୦ରେ ପ୍ରତିଷ୍ଠିତ କଳିଙ୍ଗ ଷ୍ଟୁଡିଓ ଓଡ଼ିଆ ଫିଲ୍ମ ଶିଳ୍ପର ବିକାଶରେ ଦୀର୍ଘଦିନ ଧରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସିଛି। ୧୯୯୯ର ମହାବାତ୍ୟାରେ ଷ୍ଟୁଡିଓଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ଫିଲ୍ମ ନିର୍ମାଣ ପ୍ରଯୁକ୍ତିରେ ଦ୍ରୁତ ପରିବର୍ତ୍ତନ ହେବାରୁ ଏହାର ପୁନର୍ବିକାଶ ଆବଶ୍ୟକ ହୋଇଥିଲା।

ଫିଲ୍ମ ଶିଳ୍ପକୁ ଅର୍ଥନୈତିକ ଇକୋସିଷ୍ଟମ୍‌ ଭାବେ ଦେଖିବାକୁ ଆହ୍ୱାନଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ଫିଲ୍ମ ଶିଳ୍ପ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ। ଏହା ସହ ଅନେକ ଅନୁଷଙ୍ଗୀ କ୍ଷେତ୍ର ଜଡ଼ିତ ଥିବାରୁ ରୋଜଗାର ଓ ଆର୍ଥିକ ସୁଯୋଗ ସୃଷ୍ଟିର ବଡ଼ କ୍ଷେତ୍ର ଭାବେ ଏହାକୁ ଦେଖାଯାଇପାରେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ୍‌ (OFDC)ର ନୂଆ ଅଫିସିଆଲ୍‌ ପୋର୍ଟାଲ୍‌ ମଧ୍ୟ ଉନ୍ମୋଚନ କରିଛନ୍ତି। ନୂଆ ଭିତ୍ତିଭୂମି ଓ ପ୍ରଯୁକ୍ତି ସହ କଳିଙ୍ଗ ଷ୍ଟୁଡିଓ ଓଡ଼ିଆ ଫିଲ୍ମ ନିର୍ମାଣ ସହିତ ନୂଆ ପିଢ଼ିର କଳାକାର ଓ ପ୍ରଯୋଜକଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ ହେବା ଲକ୍ଷ୍ୟ ରହିଛି।