ଭୁବନେଶ୍ୱର: ଭୁବନେଶ୍ୱର ରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ଗୋଡ଼ାଇ ଗୋଡ଼ାଇ ପୁଲିସ ଚଳାଇଥିବା ଏକ ହାଇଡ୍ରାମା ଅପରେସନ୍ରେ ବଡ଼ ସଫଳତା ମିଳିଛି। ଜଣେ ଅବସରପ୍ରାପ୍ତ ସରକାରୀ ଯନ୍ତ୍ରୀଙ୍କ ଘରୁ ଚୋରି ହୋଇଥିବା ୬୫.୮୦ ଲକ୍ଷ ଟଙ୍କା ମଧ୍ୟରୁ ୫୪.୮୦ ଲକ୍ଷ ଟଙ୍କା କ୍ୟାସ୍ ସହ ଏକ କାର୍କୁ ଅସ୍ତରଙ୍ଗ ସାମୁଦ୍ରିକ (ମେରାଇନ୍) ପୁଲିସ ଜବତ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ଡ୍ରାଇଭର୍ ଘଟଣାସ୍ଥଳରୁ ଫରାର୍ ହେବାରେ ସଫଳ ହୋଇଛି।
ପୁଲିସ ସୂଚନା ଅନୁଯାୟୀ, ଭୁବନେଶ୍ୱରର ବାସିନ୍ଦା ତଥା ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଅଶୋକ କୁମାର ସାହୁ ନିକଟରେ ନିଜ EPF ଆକାଉଣ୍ଟରୁ ଏକ ବଡ଼ ପରିମାଣର ଟଙ୍କା ଉଠାଇ ଘରେ ରଖିଥିଲେ। ଗତ ବିଳମ୍ବିତ ରାତିରେ ତାଙ୍କ ନିଜ ଡ୍ରାଇଭର୍ ବିକାଶ କୁମାର ବିଶ୍ୱାଳ ଘରୁ ୬୫.୮୦ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିବା ନେଇ ଅଶୋକ ସାହୁ ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନାରେ ଏକ ଅଭିଯୋଗ ଦାୟର କରିଥିଲେ।
ଅଭିଯୋଗକୁ ଆଧାର କରି ଲକ୍ଷ୍ମୀସାଗର ପୁଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତର ଲୋକେସନ୍ ପୁରୀ ଜିଲ୍ଲାରେ ଥିବା ଠାବ କରିଥିଲା। ଅଭିଯୁକ୍ତ ବିକାଶର ନିଜ ଗାଁ ଅସ୍ତରଙ୍ଗ ବ୍ଲକ୍ ଅଧୀନ ବାହୁଡ଼ିହା ବୋଲି ଜଣାପଡ଼ିବା ପରେ ଅସ୍ତରଙ୍ଗ ମେରାଇନ୍ ପୁଲିସ ସହାୟତାରେ ସେଠାରେ ଚଢ଼ଉ କରାଯାଇଥିଲା।
ପୁଲିସ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ବିକାଶ ଫରାର୍ ହୋଇଯାଇଥିଲେ ବି, ନିଜ ଘରେ ଟଙ୍କା ଭର୍ତ୍ତି ବ୍ୟାଗ୍ଟିକୁ ଛାଡ଼ି ପଳାଇଥିଲା। ପୁଲିସ ଘର ଭିତରୁ ନଗଦ ୫୪.୮୦ ଲକ୍ଷ ଟଙ୍କା ଏବଂ ଏକ କାର୍ ଜବତ କରିଛି।
ଫରାର୍ ଅଭିଯୁକ୍ତ ଡ୍ରାଇଭର୍ ବିକାଶକୁ ଗିରଫ କରିବା ଏବଂ ବଳକା ଟଙ୍କା ଉଦ୍ଧାର କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ, ସେ ନେଇ ଲକ୍ଷ୍ମୀସାଗର ଏବଂ ଅସ୍ତରଙ୍ଗ ପୁଲିସ ମିଳିତ ଭାବେ ଅଧିକ ତଦନ୍ତ ଚଳାଇଛନ୍ତି।




