ରାଉରକେଲା: ପାରିବାରିକ କଳହକୁ କେନ୍ଦ୍ର କରି ରାଉରକେଲାର ବ୍ରାହ୍ମଣୀ ନଦୀର ନୂଆ ପୋଲରୁ ଜଣେ ପରିବହନ ବ୍ୟବସାୟୀ ନଦୀକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସକାଳେ ଏହି ଅଭାବନୀୟ ଘଟଣା ଘଟିବା ପରଠାରୁ ସେ ନିଖୋଜ ଅଛନ୍ତି। ନିଖୋଜ ବ୍ୟବସାୟୀଜଣକ ହେଉଛନ୍ତି ଉଦିତନଗର ଅଞ୍ଚଳର ଶିବରାମ ସାହୁ।
ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଶିବରାମଙ୍କ ପରିବାରରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହାପରେ ସେ ପ୍ଲାଣ୍ଟସାଇଟ୍ ଅଞ୍ଚଳର ଜଣେ ମହିଳା ପରିଚିତାଙ୍କୁ ନିଜ ଘରକୁ ଡାକିଥିଲେ। ମହିଳାଜଣକ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ କିଛି ସମୟ ଆଲୋଚନା ହୋଇଥିଲା।
ଏହାପରେ ଶିବରାମ ନିଜ କାର୍ରେ ମହିଳାଙ୍କୁ ବସାଇ ବେଦବ୍ୟାସ TCI ଛକ ଆଡ଼କୁ ନେଇଯାଇଥିଲେ। TCI ଛକରେ ପହଞ୍ଚି ସେ ଗାଡ଼ି ଭିତରେ ମହିଳାଙ୍କ ସମ୍ମୁଖରେ କିଛି ଔଷଧ ଖାଇଦେଇଥିଲେ। ମହିଳାଜଣକ ତାଙ୍କୁ ବାରଣ କରିଥିଲେ ସୁଦ୍ଧା ସେ ଶୁଣିନଥିଲେ।
ଏହାପରେ ଶିବରାମ ଗାଡ଼ି ଚଳାଇ ବ୍ରାହ୍ମଣୀ ନଦୀ ନୂଆ ପୋଲ ଉପରକୁ ଯାଇଥିଲେ। ସେତେବେଳେ ମହିଳାଜଣକ ଗାଡ଼ିର ପଛ ସିଟ୍ରେ ବସିଥିଲେ। ପୋଲ ଉପରେ ହଠାତ୍ ଗାଡ଼ି ରଖି ଶିବରାମ ଓହ୍ଲାଇ ପଡ଼ିଥିଲେ ଏବଂ ଆଖିପିଛୁଳାକେ ନଦୀକୁ ଡେଇଁ ପଡ଼ିଥିଲେ।
ମହିଳାଜଣକ ଚିତ୍କାର କରିବାରୁ ପୋଲ ଦେଇ ଯାଉଥିବା ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବୋଟ୍ ସାହାଯ୍ୟରେ ନଦୀ ମଧ୍ୟରେ ଶିବରାମଙ୍କୁ ଖୋଜାଖୋଜି ଜାରି ରହିଛି। ପୋଲିସ ଏହି ଘଟଣାର ଏକ ମାମଲା ରୁଜୁ କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି।




