ଭୁବନେଶ୍ୱର: ଓଡ଼ିଶାର ସଡ଼କ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଦୁଇଟି ବଡ଼ ରାସ୍ତା ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଇଛି। ସମ୍ବଲପୁରରୁ ଝାରସୁଗୁଡ଼ା ମଧ୍ୟରେ ଏକ ନୂଆ ୪ ଲେନ୍ ବିଶିଷ୍ଟ ଗ୍ରୀନ୍ଫିଲ୍ଡ କରିଡର ନିର୍ମାଣ ହେବାକୁ ଥିବା ବେଳେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥକୁ ୬ ଲେନ୍କୁ ଉନ୍ନୀତ କରାଯିବ। ଏହି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ବୁଧବାର ନିର୍ମାଣ ସୌଧରେ ସମୀକ୍ଷା ବୈଠକ ହୋଇଥିଲା।
ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ବୈଠକରେ ଜାତୀୟ ରାଜପଥ ପ୍ରାଧିକରଣ (NHAI), କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ଅଧୀନରେ ଚାଲିଥିବା ୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପଗୁଡ଼ିକର ସ୍ଥିତି ସମୀକ୍ଷା କରିଥିଲେ।
ସମୀକ୍ଷାରେ ସମ୍ବଲପୁର-ଝାରସୁଗୁଡ଼ା ନୂଆ ୪ ଲେନ୍ ଗ୍ରୀନ୍ଫିଲ୍ଡ କରିଡର ନିର୍ମାଣ ଓ ପୁରୀ-ଭୁବନେଶ୍ୱର ରାସ୍ତାର ୬ ଲେନ୍ ସମ୍ପ୍ରସାରଣକୁ ପ୍ରାଥମିକତା ଦିଆଯାଇଥିଲା। ପୁରୀ-ଭୁବନେଶ୍ୱର ରାସ୍ତାରେ ଯାତାୟାତ ଚାପ ବଢ଼ୁଥିବାରୁ ଏହାର ଉନ୍ନତୀକରଣ ସହ ଉଭୟ ପାର୍ଶ୍ୱରେ ସର୍ଭିସ୍ ରୋଡ୍ ନିର୍ମାଣ ଯୋଜନା ରହିଛି।
ଏହା ସହ ରାଜ୍ୟର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା ହୋଇଥିଲା। କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍, ରାୟପୁର-ବିଶାଖାପାଟଣା କରିଡର, ଉପକୂଳ ରାଜପଥ, ରାଉରକେଲା-ରାଞ୍ଚି ୪ ଲେନ୍ ରାସ୍ତା ଏବଂ କଟକ-ଅନୁଗୁଳ-ସମ୍ବଲପୁର କରିଡର ଭଳି ପ୍ରକଳ୍ପର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା।
ପ୍ରକଳ୍ପଗୁଡ଼ିକରେ ବିଳମ୍ବ ଓ ପ୍ରଶାସନିକ ସମସ୍ୟା ଦୂର କରିବାକୁ ମନ୍ତ୍ରୀ ନିର୍ମାଣକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟରେ ଅବହେଳା କିମ୍ବା ନିର୍ଦ୍ଧାରିତ ସମୟସୀମା ପାଳନରେ ବିଫଳ ହେଲେ ଠିକାଦାରଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ସେ ଚେତାବନୀ ଦେଇଥିଲେ।
ଏହି ସଡ଼କ ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେଲେ ରାଜ୍ୟର ଶିଳ୍ପ, ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରକୁ ଯୋଗାଯୋଗରେ ସୁବିଧା ମିଳିବା ସହ ଯାତାୟାତ ସମୟ ଓ ଟ୍ରାଫିକ୍ ଚାପ କମିବା ଆଶା କରାଯାଉଛି।




