କେନ୍ଦ୍ରାପଡ଼ା: ଜଳବାୟୁ ପରିବର୍ତ୍ତନ ଓ ନିରନ୍ତର ସମୁଦ୍ର କୂଳ ଲଙ୍ଘିବା ପ୍ରକୋପରେ ଲୀନ ହୋଇଯାଇଛି ଐତିହାସିକ ସାତଭାୟାର ଶେଷ ସ୍ମୃତି ଚିହ୍ନ। ଲଘୁଚାପ ପ୍ରଭାବରେ ସୃଷ୍ଟ ପ୍ରବଳ ବର୍ଷା ଏବଂ ସମୁଦ୍ରର ଉଚ୍ଚ ଜୁଆର କାରଣରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ସାତଭାୟାର ଅରାଧ୍ୟା ଦେବୀ ମା’ ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିରଟି ଶେଷରେ ସମୁଦ୍ର ଗର୍ଭରେ ବିଲୀନ ହୋଇଯାଇଛି।

ସମୁଦ୍ର ଗିଳିଲା ସାତଟି ଗାଁ:

ଗୋଟିଏ ସମୟରେ ଉଦ୍ଦୀପ୍ତ ଜନବସତି ଥିବା ସାତଭାୟା ଅଞ୍ଚଳର ସାତଟି ଗାଁକୁ କ୍ରମାଗତ ଭାବେ ସମୁଦ୍ର ନିଜ ଗର୍ଭକୁ ଟାଣି ନେଇଥିଲା। ସମୁଦ୍ରର କରାଳ ରୂପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାତଭାୟାବାସୀଙ୍କୁ ବଳପୂର୍ବକ ବାସଚ୍ୟୁତ ହେବାରୁ ରକ୍ଷା କରିବା ପାଇଁ ଗୁପ୍ତି-ବଗପାଟିଆଠାରେ ନୂତନ ଭାବେ ଥଇଥାନ କରିଥିଲେ। ଏହା ସହିତ ସାତଭାୟାର ପ୍ରତୀକ ମା’ ପଞ୍ଚୁବରାହୀଙ୍କ ବିଗ୍ରହଗୁଡ଼ିକୁ ମଧ୍ୟ ପୁରୁଣା ମନ୍ଦିରରୁ ବଗପାଟିଆର ନୂତନ ନିର୍ମିତ ମନ୍ଦିରକୁ ସମ୍ମାନର ସହ ସ୍ଥାନାନ୍ତରିତ କରାଯାଇଥିଲା।

ଲୀନ ହେଲା ଶେଷ ସନ୍ତକ:

ଗ୍ରାମବାସୀ ଓ ପ୍ରତିମା ସ୍ଥାନାନ୍ତର ହେବା ପରେ ମଧ୍ୟ ସାତଭାୟାର ଏକମାତ୍ର ଶେଷ ସନ୍ତକ ଭାବେ ମା’ ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିର ଢାଞ୍ଚାଟି ସମୁଦ୍ର କୂଳରେ ଛିଡ଼ା ହୋଇ ରହିଥିଲା। କିନ୍ତୁ ସାମ୍ପ୍ରତିକ ଲଘୁଚାପ ଯୋଗୁଁ ସମୁଦ୍ରରେ ବୃଦ୍ଧି ପାଇଥିବା ବିଶାଳ ଲହଡ଼ି ଏବଂ ପ୍ରବଳ ଢ଼େଉର ମାଡ଼ରେ ମନ୍ଦିରର ପ୍ରାଚୀର ସମ୍ପୂର୍ଣ୍ଣ ଭାଙ୍ଗି ସମୁଦ୍ରରେ ଲୀନ ହୋଇଯାଇଛି।

ଏହି ଘଟଣା ସହ ସାତଭାୟା ଅଞ୍ଚଳର ଶେଷ ଭୌଗୋଳିକ ଚିହ୍ନ ସଦାଦିନ ପାଇଁ ଇତିହାସ ପାଲଟିଯାଇଛି, ଯାହା ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ପ୍ରବଳ ଦୁଃଖ ଓ ଭାବବିହ୍ୱଳତା ସୃଷ୍ଟି କରିଛି।