ଭୁବନେଶ୍ୱର: ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ସ୍ୱାଇଁ ମୃତ୍ୟୁ ମାମଲାରେ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି। ଏହି ଘଟଣାରେ ନାମ ଆସିବା ପରେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତମାସ ୭ ତାରିଖରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳର ରାମଚନ୍ଦ୍ରପୁର ବ୍ରିଜ୍‌ ନିକଟରେ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ଦିନଦ୍ୱିପ୍ରହରରେ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ଘଟଣା ପରେ ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଏବଂ ଏଥିରେ ଦୟାଲ ଗଙ୍ଗୱାରଙ୍କ ସଂପୃକ୍ତି ଥିବା ଅଭିଯୋଗ କରାଯାଇଥିଲା।

ଜଣାପଡ଼ିଛି ଯେ, ସୌମ୍ୟରଞ୍ଜନ ପୂର୍ବରୁ ଦୟାଲ ଗଙ୍ଗୱାରଙ୍କ ଜିମ୍‌ରେ କାମ କରୁଥିଲେ। ଏହି ଅଭିଯୋଗକୁ ଆଧାର କରି ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ତଦନ୍ତ କରାଯାଉଥିଲା।

ତଦନ୍ତ ରିପୋର୍ଟ ସରକାରଙ୍କ ହାତକୁ ଆସିବା ପରେ ଗଙ୍ଗୱାରଙ୍କ ବିରୋଧରେ ଏହି ପ୍ରଶାସନିକ ପଦକ୍ଷେପ ନିଆଯାଇଛି। ନିଲମ୍ବନ ପୂର୍ବରୁ ତାଙ୍କୁ ଗୃହ ବିଭାଗରେ ଓଏସ୍‌ଡି ଭାବେ ଅବସ୍ଥାପିତ କରାଯାଇଥିଲା।

ଏହି ମାମଲାରେ ତଦନ୍ତ ଜାରି ରହିଛି ଏବଂ ପରବର୍ତ୍ତୀ ସମୟରେ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ।