ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅକ୍ୱାନ୍’ ଧୀରେ ଧୀରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଭାରତୀୟ ପାଣିପାଗ ବିଭାଗ ର ସଦ୍ୟତମ ଆକଳନ ଅନୁଯାୟୀ, ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୨୦ ତାରିଖ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଏହା ଉପକୂଳ ଅତିକ୍ରମ (ଲ୍ୟାଣ୍ଡଫଲ୍) କରିବାର ସମ୍ଭାବନା ରହିଛି।
ଆଜି ଭୋର ୨ଟା ୩୦ ମିନିଟରେ IMD ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍ ମୁତାବକ, ଗତ ୬ ଘଣ୍ଟା ମଧ୍ୟରେ ଏହି ସାମୁଦ୍ରିକ ଝଡ଼ ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରିଛି। ବର୍ତ୍ତମାନ ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ୧୪.୧° ଉତ୍ତର ଅକ୍ଷାଂଶ ଏବଂ ୮୫.୩° ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ରହିଛି। ଏହି ସମୟରେ ଏହା ଆନ୍ଧ୍ରପ୍ରଦେଶର ନରସାପୁରଠାରୁ ପ୍ରାୟ ୪୭୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ, କଳିଙ୍ଗପଟ୍ଟନମଠାରୁ ୪୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ, ତାମିଲନାଡୁର ଚେନ୍ନାଇଠାରୁ ୫୭୦ କିଲୋମିଟର ପୂର୍ବ-ଉତ୍ତରପୂର୍ବ, ଓଡ଼ିଶାର ଗୋପାଳପୁରଠାରୁ ୫୮୦ କିଲୋମିଟର ଦକ୍ଷିଣ ଏବଂ ପୁରୀଠାରୁ ୬୪୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ ଥିଲା।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି ଜାରି ରଖି ନଭେମ୍ବର ୨୦ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ନରସାପୁର ଏବଂ ଓଡ଼ିଶାର ପୁରୀ ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ, ୟାନାମ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ସହ ଝଟକା ପବନ ଘଣ୍ଟାପ୍ରତି ୧୧୦ କିଲୋମିଟର ପର୍ଯ୍ୟନ୍ତ ବହିବାର ଆଶଙ୍କା ରହିଛି।
ସମ୍ଭାବ୍ୟ ବାତ୍ୟା ବିପଦକୁ ଦୃଷ୍ଟିରେ ରଖି ଉତ୍ତର ଆନ୍ଧ୍ରପ୍ରଦେଶ, ୟାନାମ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ପାଣିପାଗ ବିଭାଗ ପକ୍ଷରୁ ‘ରେଡ୍ ମେସେଜ୍’ ସହ ବାତ୍ୟା ସତର୍କ ସୂଚନା ଜାରି କରାଯାଇଛି। ବାତ୍ୟା ଉପକୂଳ ନିକଟତର ହେଉଥିବାରୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପବନର ବେଗ ବୃଦ୍ଧି ପାଇବା ସହ ପ୍ରବଳ ବର୍ଷା ଓ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ କଡ଼ା ପରାମର୍ଶ ଦିଆଯାଇଥିବା ବେଳେ ତଳିଆ ଓ ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ ରହି ସରକାରୀ ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।




