ଭୁବନେଶ୍ୱର: ମହିଳାଙ୍କ ସୁରକ୍ଷା, ଅଧିକାର ଓ ସଶକ୍ତୀକରଣ ପାଇଁ ସାମୂହିକ ପଦକ୍ଷେପକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀ ଶକ୍ତି ସମ୍ମିଳନୀରେ ଏକାଠି ହୋଇଛନ୍ତି। ଜାତୀୟ ମହିଳା ଆୟୋଗ ଓ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଏହି ସମ୍ମିଳନୀ ଆୟୋଜିତ ହୋଇଛି।

ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇ କହିଛନ୍ତି ଯେ, ମହିଳା ସୁରକ୍ଷା ଓ ସଶକ୍ତୀକରଣକୁ ପରସ୍ପରଠାରୁ ଅଲଗା କରି ଦେଖିହେବ ନାହିଁ। ଦୃଢ଼ ଅନୁଷ୍ଠାନ, ପ୍ରଭାବୀ କାର୍ଯ୍ୟାନ୍ୱୟନ ଓ ସାମୂହିକ ଉତ୍ତରଦାୟିତ୍ୱ ମାଧ୍ୟମରେ ଏହି ଦୁଇଟି କ୍ଷେତ୍ରରେ ସମାନ୍ତରାଳ ଭାବେ କାମ କରିବା ଆବଶ୍ୟକ।

କେନ୍ଦ୍ର ଓ ରାଜ୍ୟଗୁଡ଼ିକ ପରସ୍ପରର ସଫଳ ପଦକ୍ଷେପରୁ ଶିଖିବା ସହ ସମନ୍ୱୟ ବଢ଼ାଇବା ଦରକାର। ପ୍ରତ୍ୟେକ ମହିଳା ଯେପରି ସୁରକ୍ଷା, ସମ୍ମାନ ଓ ସମାନ ସୁଯୋଗ ସହ ଜୀବନଯାପନ କରିପାରିବେ, ତାହା ସୁନିଶ୍ଚିତ କରିବା ଶକ୍ତି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ଜାତୀୟ ସ୍ତରରେ ସମନ୍ୱିତ ରଣନୀତି ଉପରେ ଗୁରୁତ୍ୱ

ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ବିଜୟା ରାହଟକର କହିଛନ୍ତି ଯେ, ସାରା ଦେଶରେ ମହିଳାଙ୍କ ସୁରକ୍ଷା ଓ ସଶକ୍ତୀକରଣକୁ ଆଗେଇ ନେବା ପାଇଁ ଅଧିକ ଦୃଢ଼ ଏବଂ ନିରନ୍ତର ସାମୂହିକ ପଦକ୍ଷେପର ଆବଶ୍ୟକତା ରହିଛି।

ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିଜ ନିଜ ସଫଳ ପଦକ୍ଷେପ, କାର୍ଯ୍ୟକାରିତାରେ ରହିଥିବା ସମସ୍ୟା ଏବଂ ଆଗାମୀ ଆହ୍ୱାନ ଉପରେ ଆଲୋଚନା କରିଛନ୍ତି। ଏହା ମାଧ୍ୟମରେ ଆନୁଷ୍ଠାନିକ ସମନ୍ୱୟ ବଢ଼ାଇ ମହିଳା ସୁରକ୍ଷା ଓ ସଶକ୍ତୀକରଣ ପାଇଁ ପ୍ରଭାବୀ ରଣନୀତି ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି।

୨୯ ବରିଷ୍ଠ ଅଧିକାରୀଙ୍କ ଅଂଶଗ୍ରହଣ

ସମ୍ମିଳନୀରେ ଜାତୀୟ ମହିଳା ଆୟୋଗର ସଦସ୍ୟ ସଚିବ ସୁଦୀପ ଜୈନ, ମହିଳା ଓ ଶିଶୁ ବିକାଶ ବିଭାଗର କମିସନର ତଥା ଶାସନ ସଚିବ ଡ. ମୃଣାଳିନୀ ଦାର୍ସୱାଲ ଏବଂ ମିଶନ ଶକ୍ତିର ସଚିବ ମାନସୀ ନିମ୍ଭାଲଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ସିକିମ, ତାମିଲନାଡୁ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର, ଚଣ୍ଡୀଗଡ଼ ଏବଂ ତେଲେଙ୍ଗାନା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ ୨୯ ଜଣ ସଚିବ, କମିସନର, ନିର୍ଦ୍ଦେଶକ ଓ ଯୁଗ୍ମ ନିର୍ଦ୍ଦେଶକ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି।

ମହିଳା ସୁରକ୍ଷା ଓ ସଶକ୍ତୀକରଣ ସମ୍ପର୍କିତ ପ୍ରମୁଖ ସମସ୍ୟାର ସମାଧାନ, ପରସ୍ପର ଅଭିଜ୍ଞତା ବିନିମୟ ଏବଂ ଆଗାମୀ ଚ୍ୟାଲେଞ୍ଜ ପାଇଁ ସମନ୍ୱିତ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ରହିଛି।