ଭୁବନେଶ୍ୱର: ବନ୍ୟପ୍ରାଣୀ ପ୍ରେମୀ ଓ ସଂରକ୍ଷଣକାରୀଙ୍କ ପାଇଁ ଏକ ବଡ଼ ଖୁସିର ଖବର। ଓଡ଼ିଶାର ପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (STR)ରେ ବାଘୁଣୀ ‘ଜିନତ’ ଚାରୋଟି ସୁସ୍ଥ ଶାବକଙ୍କୁ ଜନ୍ମ ଦେଇଛି। ଏହି ସଫଳତା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟକ୍ରମ ପାଇଁ ଏକ ବଡ଼ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।
ରିପୋର୍ଟ ଅନୁଯାୟୀ, ଗତ ମେ ୨୮ ତାରିଖରେ ବାଘୁଣୀଟି ଏହି ଚାରି ଶାବକଙ୍କୁ ଜନ୍ମ ଦେଇଥିଲା। ବର୍ତ୍ତମାନ ବନ ବିଭାଗର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞ ଦଳ ମା’ ଏବଂ ଛୁଆମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଜଙ୍ଗଲ ଭିତରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ବାଘ ବଂଶ ବୃଦ୍ଧି ପାଇଁ ଗତ ୨୦୨୪ ନଭେମ୍ବର ମାସରେ ମହାରାଷ୍ଟ୍ରର ତଡୋବା-ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ‘ଜିନତ’କୁ ଶିମିଳିପାଳ ଅଣାଯାଇଥିଲା। ଶିମିଳିପାଳକୁ ଆସିବା ଦିନଠାରୁ ହିଁ ବନ ବିଭାଗ ପକ୍ଷରୁ ସାଟେଲାଇଟ୍ କଲାର୍ ଏବଂ ଟ୍ରାକିଂ ଟିମ୍ ଜରିଆରେ ତାର ପ୍ରତିଟି ଗତିବିଧି ଉପରେ ନଜର ରଖାଯାଉଥିଲା।
ଶିମିଳିପାଳର ପ୍ରାକୃତିକ ପରିବେଶକୁ ଆପଣେଇ ଜିନତ ମା’ ହେବା ପରେ, ଓଡ଼ିଶାରେ ବାଘ ସଂରକ୍ଷଣ ଅଭିଯାନକୁ ଏକ ନୂଆ ଦିଗ ଓ ଉତ୍ସାହ ମିଳିଛି। ଏହା ଦ୍ୱାରା ଆଗାମୀ ଦିନରେ ଶିମିଳିପାଳରେ ମହାବଳ ବାଘଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।




