ବୈଶିଙ୍ଗା: ଶିମିଳିପାଳ ଟାଇଗର ରିଜର୍ଭରେ ପୁଣି ଏକ ମାଈ ବାଘର ମୃତ୍ୟୁ ଚିନ୍ତା ବଢ଼ାଇଛି। ଦକ୍ଷିଣ ଶିମିଳିପାଳ ବନଖଣ୍ଡ ଅଧୀନ UBK ରେଞ୍ଜର ଜଟିଆଣୀ କ୍ୟାମ୍ପ ନିକଟସ୍ଥ କୋର୍‌ ଅଞ୍ଚଳରୁ ପ୍ରାୟ ୫ ବର୍ଷ ବୟସର ଏକ ମାଈ ବାଘର ମୃତଦେହ ଉଦ୍ଧାର ହୋଇଛି। ବନ ବିଭାଗର ପ୍ରେସ୍‌ ନୋଟ୍‌ ଅନୁଯାୟୀ, ମୃତ ବାଘଟି ‘ପ୍ସ୍ୟୁଡୋ-ମେଲାନିଷ୍ଟିକ୍‌’ (Pseudo-melanistic) ବାଘ ଥିଲା।

ସୂଚନା ଅନୁଯାୟୀ, ଅଗଷ୍ଟ ୬ ତାରିଖ ସନ୍ଧ୍ୟା ପ୍ରାୟ ୫ଟାରେ ଜଟିଆଣୀ କ୍ୟାମ୍ପର ପାଟ୍ରୋଲିଂ ଟିମ୍‌ ବାଘର ମୃତଦେହ ଠାବ କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ପରେ ଶିମିଳିପାଳ ଟାଇଗର ରିଜର୍ଭର ଫିଲ୍ଡ ଡାଇରେକ୍ଟର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

NTCA ନିୟମ ଅନୁଯାୟୀ ପୋଷ୍ଟମର୍ଟମ୍

ଅଗଷ୍ଟ ୭ ତାରିଖରେ ନ୍ୟାସନାଲ୍‌ ଟାଇଗର କନ୍ଜରଭେସନ୍‌ ଅଥରିଟି (NTCA)ର ନିର୍ଦ୍ଧାରିତ ମାନକ ପ୍ରକ୍ରିୟା (SOP) ଅନୁସାରେ ଏକ ବିଶେଷଜ୍ଞ ଟିମ୍‌ ବାଘର ପୋଷ୍ଟମର୍ଟମ୍‌ କରିଥିଲେ। ଏଥିରେ ଫିଲ୍ଡ ଡାଇରେକ୍ଟରଙ୍କ ସହ ପ୍ରାଣୀ ଚିକିତ୍ସକ ଓ ବନ୍ୟଜନ୍ତୁ ବିଶେଷଜ୍ଞମାନେ ସାମିଲ ଥିଲେ।

ପ୍ରାଥମିକ ଯାଞ୍ଚ ସମୟରେ ବାଘର ଶରୀରରେ କୌଣସି ଆଘାତ ଚିହ୍ନ ମିଳିନଥିବା ବେଳେ ମୃତ୍ୟୁର ମଧ୍ୟ କୌଣସି ସ୍ପଷ୍ଟ କାରଣ ଜଣାପଡ଼ିନାହିଁ। ତେଣୁ ବାଘଟି କେଉଁ କାରଣରୁ ମୃତ୍ୟୁବରଣ କଲା, ତାହା ଏବେ ମଧ୍ୟ ରହସ୍ୟ ହୋଇ ରହିଛି।

ପରୀକ୍ଷା ପାଇଁ OUATକୁ ପଠାଗଲା ନମୁନା

ପୋଷ୍ଟମର୍ଟମ୍‌ ସମୟରେ ବାଘର ଶରୀରରୁ ବିଭିନ୍ନ ଜୈବିକ ନମୁନା ସଂଗ୍ରହ କରାଯାଇଛି। ବିଷାକ୍ତତା, ପାଥୋଲୋଜିକାଲ୍‌ ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ଏହି ନମୁନାଗୁଡ଼ିକୁ ଭୁବନେଶ୍ୱରସ୍ଥିତ ଓଡ଼ିଶା ୟୁନିଭର୍ସିଟି ଅଫ୍‌ ଆଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (OUAT) ଅଧୀନ ସେଣ୍ଟର ଫର୍‌ ୱାଇଲ୍ଡଲାଇଫ୍‌ ହେଲ୍ଥ୍‌ (CWH)କୁ ପଠାଯାଇଛି।

ଲାବୋରେଟୋରୀ ରିପୋର୍ଟ ମିଳିବା ପରେ ହିଁ ମାଈ ବାଘର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

ପ୍ରୋଟୋକଲ୍‌ ଅନୁସାରେ ଦାହ, ହେଲା ଭିଡିଓଗ୍ରାଫି

ପୋଷ୍ଟମର୍ଟମ୍‌ ପରେ ଫିଲ୍ଡ ଡାଇରେକ୍ଟର ଓ ବନ ବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ ବାଘର ମୃତଦେହକୁ ଦାହ କରାଯାଇଥିଲା। ପୋଷ୍ଟମର୍ଟମ୍‌ଠାରୁ ଆରମ୍ଭ କରି ଦାହ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ନିର୍ଦ୍ଧାରିତ ପ୍ରୋଟୋକଲ୍‌ ଅନୁଯାୟୀ ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

ବର୍ତ୍ତମାନ ସମସ୍ତଙ୍କ ନଜର ଲାବୋରେଟୋରୀ ରିପୋର୍ଟ ଉପରେ। ରିପୋର୍ଟ ଆସିବା ପରେ ହିଁ ମାଈ ବାଘର ମୃତ୍ୟୁ ପଛରେ ଥିବା ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ।