ଭୁବନେଶ୍ୱର: ରାଜ୍ୟର ନୂଆ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟିକୁ ନେଇ ବିରୋଧୀ ଦଳ ସୋଚାର ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହାର ନୈତିକ ଦାୟିତ୍ୱ ନେଇ ପଦବୀରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସୋମବାର ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦାବି କରିଛନ୍ତି।

ମଣିଷଙ୍କୁ ଗଣମାଧ୍ୟମ ଆଗରେ ସମ୍ବୋଧନ କରି ନବୀନ କହିଛନ୍ତି ଯେ, କେନ୍ଦ୍ରୀୟ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ମୋରାଲ୍ ରେସପୋନ୍ସିବିଲିଟି (ନୈତିକ ଦାୟିତ୍ୱ) ନେଇ ନିତ୍ୟାନନ୍ଦ ଗଣ୍ଡ ନିଜ ପଦରୁ ଓହରିଯିବା ଉଚିତ୍।

ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟ:

“ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ବହୁମାତ୍ରାରେ ଭୁଲ୍ ରହିଛି, ଯାହା କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ବିପଦ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହାର ଦାୟିତ୍ୱ ନେଇ ଇସ୍ତଫା ଦେବା ଦରକାର। ବିଜେଡି ଗତ ଦୁଇ-ତିନି ସପ୍ତାହ ହେବ ଏହି ଦାବି କରିଆସୁଛି।”

୧୬୦୦ରୁ ଉର୍ଦ୍ଧ୍ୱ ଭୁଲ୍ ଚିହ୍ନଟ

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ବହିଗୁଡ଼ିକରେ ପ୍ରାୟ ୧,୬୦୦ରୁ ଅଧିକ ଭୁଲ୍ ଚିହ୍ନଟ ହୋଇଛି। ଏଥିରେ ବ୍ୟାକରଣଗତ ତ୍ରୁଟି, ଅସମ୍ପୂର୍ଣ୍ଣ ସୂଚନା ଏବଂ ତଥ୍ୟଗତ ଭୁଲ୍ ରହିଥିବାରୁ ଶିକ୍ଷାବିତ୍, ଅଭିଭାବକ ଓ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏହି ସଂବେଦନଶୀଳ ମୁଦ୍ଦାକୁ ନେଇ ବିଜେଡି ରାଜ୍ୟସାରା ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଥିବା ବେଳେ, ମନ୍ତ୍ରୀଙ୍କ ଇସ୍ତଫା ନଦେବା ପର୍ଯ୍ୟନ୍ତ ଏହି ପ୍ରସଙ୍ଗକୁ ଦଳ ଆଗକୁ ନେବ ବୋଲି ସ୍ପଷ୍ଟ କରିଛି। ସରକାର ଏହି ମାମଲାରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର।