ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମହିଳା ବିଧାୟିକା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସମାଜସଂସ୍କାରକ ସରଳା ଦେବୀଙ୍କ ତିରୋଧାନ ଦିବସ ଅବସରରେ ଶନିବାର ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ବିଧାନସଭା ପରିସର ନିକଟରେ ଥିବା ସରଳା ଦେବୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ନାରୀ ସଶକ୍ତୀକରଣ ଓ ସମାଜ ମଙ୍ଗଳ ପାଇଁ ତାଙ୍କର ଅତୁଳନୀୟ ଅବଦାନକୁ ମନେ ପକାଇଛନ୍ତି।
ସରଳା ଦେବୀ ଓଡ଼ିଶାରେ ମହିଳା ଜାଗରଣ ଓ ଶିକ୍ଷାର ପ୍ରସାର କ୍ଷେତ୍ରରେ ଜଣେ ଅଗ୍ରଦୂତ ଥିଲେ। ରାଜ୍ୟର ପ୍ରଥମ ମହିଳା ବିଧାୟିକା ଭାବେ ସେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ସମାଜର ଅବହେଳିତ ବର୍ଗ ଏବଂ ମହିଳାମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଥିଲେ।
ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ଯେ, ସରଳା ଦେବୀଙ୍କ ଆଦର୍ଶ, ତ୍ୟାଗ ଏବଂ ସେବା ମନୋଭାବ ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଓଡ଼ିଶାର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ସକ୍ରିୟ ଭାଗିଦାରୀ ଏବଂ ସାମାଜିକ ସଂସ୍କାର ଆନ୍ଦୋଳନ ରାଜ୍ୟ ଇତିହାସରେ ସଦା ସ୍ମରଣୀୟ ହୋଇରହିବ।
ଏହି ସ୍ମୃତିସଭାରେ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହଙ୍କ ସମେତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ, ସମାଜସେବୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଉପସ୍ଥିତ ଅତିଥିମାନେ ସରଳା ଦେବୀଙ୍କ ଗୁରୁତ୍ୱପୂର୍ଣ୍ଣ ସାମାଜିକ କାର୍ଯ୍ୟାବଳୀର ସ୍ମୃତିଚାରଣ କରିଥିଲେ। ବିଶେଷ କରି ସେତେବେଳର ରକ୍ଷଣଶୀଳ ସମାଜରେ ମହିଳାମାନଙ୍କୁ ଶିକ୍ଷିତ କରିବା ପାଇଁ ସେ ନିରନ୍ତର ସଂଗ୍ରାମ କରିଥିଲେ। ବାଲ୍ୟବିବାହ ରୋକିବା, ନାରୀ ନିର୍ଯାତନା ବିରୋଧରେ ସ୍ୱର ଉଠାଇବା ଏବଂ ସମାଜସୁଧାର କାର୍ଯ୍ୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମକୁ ବ୍ୟାପକ କରିବାରେ ତାଙ୍କର ଯୋଗଦାନ ଅତୁଳନୀୟ ଥିଲା।




