ଶ୍ରୀନଗର: ଶ୍ରୀନଗର ବିମାନବନ୍ଦରରେ ଶୁକ୍ରବାର ସକାଳେ ଅଘଟଣ। ପାର୍କିଂ କରାଯିବା ସମୟରେ ଇଣ୍ଡିଗୋର ଏକ ବିମାନ ବିଜୁଆଲ୍‌ ଡକିଂ ଗାଇଡାନ୍ସ ସିଷ୍ଟମ୍‌ (VDGS)ର ଖୁଣ୍ଟରେ ପିଟି ହୋଇଛି। ତେବେ ଏଥିରେ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରିୟୁ ସଦସ୍ୟ ସୁରକ୍ଷିତ ଥିବା ଇଣ୍ଡିଗୋ ପକ୍ଷରୁ ସୂଚନା ଦିଆଯାଇଛି।

ପାର୍କିଂ ବେଳେ ଘଟିଲା ଅଘଟଣ

ଇଣ୍ଡିଗୋ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୯ଟା ୨ ମିନିଟ୍‌ରେ ଫ୍ଲାଇଟ୍‌ ‘୬ଇ୨୨୫’ ନବୀ ମୁମ୍ବାଇରୁ ଶ୍ରୀନଗର ପହଞ୍ଚିବା ପରେ ବେ’ ନମ୍ବର ୦୬ରେ ପାର୍କିଂ ପାଇଁ ଯାଉଥିଲା। ଏହି ସମୟରେ ବିମାନଟି VDGS ଖୁଣ୍ଟ ସହ ଧକ୍କା ହୋଇଥିଲା।

ଅଘଟଣ ପରେ ତୁରନ୍ତ ମାନୁଆଲ୍‌ ସିଡ଼ି ବ୍ୟବହାର କରି ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା। ଘଟଣାରେ କୌଣସି ଯାତ୍ରୀ କିମ୍ବା କ୍ରିୟୁ ସଦସ୍ୟ ଆହତ ହୋଇନାହାନ୍ତି।

ତଦନ୍ତ ପରେ ଜଣାପଡ଼ିବ କାରଣ

ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷ ଅନୁଧ୍ୟାନ ଓ ତଦନ୍ତ କରିବେ। ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ହିଁ ଅଘଟଣର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି।