ଭୁବନେଶ୍ୱର: ରାଜ୍ୟର ସବୁଠାରୁ ଆଦୃତ ଜନକଲ୍ୟାଣକାରୀ ଯୋଜନା ‘ସୁଭଦ୍ରା’ର ଆସନ୍ତାକାଲି ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ସାରା ଓଡ଼ିଶାରେ ଏକ ଅଭୂତପୂର୍ବ ଓ ଦିବ୍ୟ ଉତ୍ସବ ପାଳନ କରାଯିବ। ଏହି ବାର୍ଷିକୀ ସମାରୋହକୁ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଓ ଭବ୍ୟ ଢଙ୍ଗରେ ଆୟୋଜନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି।

ଘରେ ଘରେ ଦୀପାବଳି ଓ ରଙ୍ଗୋଲି କାର୍ଯ୍ୟକ୍ରମ

ସୁଭଦ୍ରା ଯୋଜନାର ଏହି ସଫଳ ଦୁଇ ବର୍ଷକୁ ସ୍ମରଣୀୟ କରିବା ପାଇଁ ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ ରାଜ୍ୟର ସମସ୍ତ ସୁଭଦ୍ରା ହିତାଧିକାରୀଙ୍କୁ ନିଜ ନିଜ ଘରେ ଦୀପ ଜାଳିବା ପାଇଁ ବିଶେଷ ଆହ୍ୱାନ ଦିଆଯାଇଛି।

ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ, ସେଣ୍ଟ୍ରାଲ ପ୍ରୋଜେକ୍ଟ ଏବଂ ସମସ୍ତ ଅଙ୍ଗନବାଡ଼ି କାର୍ଯ୍ୟାଳୟଗୁଡ଼ିକରେ ବ୍ୟାପକ ରଙ୍ଗୋଲି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜ୍ୟର ମୋଟ ୩୩୮ଟି ପ୍ରମୁଖ ସ୍ଥାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରତିଯୋଗିତା ଓ ସେଲିବ୍ରେସନ୍ ଆୟୋଜିତ ହେବ।

୨୫,୮୦୦ କୋଟି ଟଙ୍କାର ସହାୟତା, ୧ କୋଟି ମହିଳା ଲାଭାନ୍ୱିତ

ସୂଚନାଯୋଗ୍ୟ ଯେ, ୨୦୨୪ ମସିହା ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଯୁଗାନ୍ତକାରୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଗତ ଦୁଇ ବର୍ଷ ମଧ୍ୟରେ ଏହି ଯୋଜନା ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୨୫ ହଜାର ୮୦୦ କୋଟି ଟଙ୍କା ସିଧାସଳଖ ହସ୍ତାନ୍ତର କରାଯାଇସାରିଛି।

ଏହି ଯୋଜନା ଓଡ଼ିଶାର ୧ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କ ଜୀବନଧାରଣ ଏବଂ ଆର୍ଥିକ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। କେବଳ ସେତିକି ନୁହେଁ, ସୁଭଦ୍ରା ଯୋଜନାରୁ ମିଳିଥିବା ଆର୍ଥିକ ସମ୍ବଳ ଯୋଗୁଁ ରାଜ୍ୟର ୨୬ ପ୍ରତିଶତରୁ ଅଧିକ ମହିଳା ଆତ୍ମନିର୍ଭରଶୀଳ ହୋଇ ସଫଳ ମହିଳା ଉଦ୍ୟୋଗୀ ଭାବେ ନିଜକୁ ଗଢ଼ିତୋଳି ପାରିଛନ୍ତି। ଏହି ବାର୍ଷିକୀ ଉତ୍ସବ ନାରୀ ସଶକ୍ତୀକରଣର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।