ଭୁବନେଶ୍ୱର: ଓଡ଼ିଶା ପାଇଁ ପୁଣି ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ। ବିଶ୍ୱପ୍ରସିଦ୍ଧ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ମଙ୍ଗଳବାର ଦିନ ଭୁବନେଶ୍ୱରସ୍ଥିତ ଲୋକ ଭବନଠାରେ ସମ୍ବର୍ଦ୍ଧିତ କରିଛନ୍ତି।
ରୁଷିଆର କାଲିନିନଗ୍ରାଡ୍ଠାରେ ଆୟୋଜିତ ଦ୍ୱିତୀୟ ଆନ୍ତର୍ଜାତୀୟ ବାଲୁକା ଭାସ୍କର୍ଯ୍ୟ ମହୋତ୍ସବରେ ପ୍ରତିଷ୍ଠିତ ‘ରୁଷିଆନ୍ ଗ୍ରାଣ୍ଡ୍ ସ୍ୟାଣ୍ଡ୍ ମାଷ୍ଟର କପ୍ 2026’ ଜିତି ଦେଶ ପାଇଁ ଗୌରବ ଆଣିଥିବାରୁ ତାଙ୍କୁ ଏହି ସମ୍ମାନଜନକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ସଫଳତା ସହ ସୁଦର୍ଶନ ଏହି ପ୍ରତିଷ୍ଠିତ ଆନ୍ତର୍ଜାତୀୟ ଟାଇଟଲ୍ ଜିତିବାରେ ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
ଏହି ମହୋତ୍ସବରେ ସୁଦର୍ଶନ ପଟ୍ଟନାୟକ ଜଳବାୟୁ ପରିବର୍ତ୍ତନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଏକ ଚିତ୍ତାକର୍ଷକ ବାଲୁକା କଳା ପ୍ରଦର୍ଶନ କରିଥିଲେ, ଯାହା ସାରା ବିଶ୍ୱର ବିଚାରକମାନଙ୍କୁ ପ୍ରଭାବିତ କରିଥିଲା। ବାଲୁକା କଳା କ୍ଷେତ୍ରରେ ସୁଦର୍ଶନଙ୍କ ଏଭଳି ଅତୁଳନୀୟ ଅବଦାନ ଏବଂ ସାମାଜିକ ସଚେତନତା ବାର୍ତ୍ତାକୁ ରାଜ୍ୟପାଳ ଉଚ୍ଚ ପ୍ରଶଂସା କରିଛନ୍ତି।
ସମ୍ବର୍ଦ୍ଧିତ ହେବା ପରେ ସୁଦର୍ଶନ ପଟ୍ଟନାୟକ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଖୁସି ବ୍ୟକ୍ତ କରି ଲେଖିଛନ୍ତି, “ରୁଷିଆନ୍ ଗ୍ରାଣ୍ଡ୍ ସ୍ୟାଣ୍ଡ୍ ମାଷ୍ଟର କପ୍ 2026 ଜିତିବା ପରେ ଆଜି ଭୁବନେଶ୍ୱର ଲୋକ ଭବନଠାରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ହରି ବାବୁ କମ୍ଭମ୍ପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇ ମୁଁ ବହୁତ ସମ୍ମାନିତ ବୋଧ କରୁଛି। ଏହି ସ୍ୱୀକୃତି ଓ ପ୍ରୋତ୍ସାହନ ପାଇଁ ମୁଁ ଗଭୀର କୃତଜ୍ଞ।”ପୁରୀ ବେଳାଭୂମିରୁ ନିଜର କଳା ଯାତ୍ରା ଆରମ୍ଭ କରି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୁଦର୍ଶନ ପଟ୍ଟନାୟକ, ଏହି ବିଜୟ ସହ ଓଡ଼ିଶା ତଥା ସମଗ୍ର ଭାରତ ବର୍ଷର ନାଁକୁ ଆହୁରି ଉଜ୍ଜ୍ୱଳ କରିଛନ୍ତି।




