ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆରାମଦାୟକ, ସୁରକ୍ଷିତ ଓ ନିର୍ବିଘ୍ନ ଯାତ୍ରା ପାଇଁ ପୂର୍ବତଟ ରେଳପଥ (ECoR) ପକ୍ଷରୁ ବ୍ୟାପକ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ବ୍ୟବସ୍ଥା କରାଯାଇଛି। ସୁନାବେଶ ଏବଂ ଅଧରପଣା ନୀତି ଅବସରରେ ପ୍ରବଳ ଯାତ୍ରୀ ଭିଡ଼କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତ ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକରୁ ପୁରୀକୁ ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍‌ ଗଡ଼ିବ।

ସୁନାବେଶ ପାଇଁ ସ୍ୱତନ୍ତ୍ର ଟ୍ରେନ୍‌

ସୁନାବେଶ ଦିନ ପୁରୀ ଅଭିମୁଖେ ଯାଉଥିବା ଭକ୍ତଙ୍କ ସୁବିଧା ପାଇଁ ପାରାଦୀପ, ଅନୁଗୁଳ, ଭଦ୍ରକ, ତାଳଚେର, କେନ୍ଦ୍ରାପଡ଼ା ରୋଡ୍, ଢେଙ୍କାନାଳ, ବାଲେଶ୍ୱର, ବ୍ରହ୍ମପୁର, କେନ୍ଦୁଝରଗଡ଼, ଖୋର୍ଦ୍ଧା ରୋଡ୍ ଏବଂ ଦଶପଲ୍ଲାରୁ ସ୍ୱତନ୍ତ୍ର ଟ୍ରେନ୍‌ ଚାଲିବ।

ସେହିପରି ଫେରନ୍ତା ଯାତ୍ରା ପାଇଁ ପୁରୀରୁ ତାଳଚେର, ବାଦାମପାହାଡ଼, ଢେଙ୍କାନାଳ, ବାଙ୍ଗିରିପୋଷି, ରାୟଗଡ଼ା, ଭଦ୍ରକ, ଅନୁଗୁଳ, ଗୁଣୁପୁର, ରାଉରକେଲା, ଦଶପଲ୍ଲା, ସମ୍ବଲପୁର, ପଲାସା, ବିଶାଖାପାଟଣା ଏବଂ ଶାଲିମାର ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍‌ ସେବା ଯୋଗାଇ ଦିଆଯିବ।

ଅଧରପଣା ପାଇଁ ସ୍ୱତନ୍ତ୍ର ସେବା

ଅଧରପଣା ନୀତି ପାଇଁ ବ୍ରହ୍ମପୁର, ଦଶପଲ୍ଲା, ଅନୁଗୁଳ, କେନ୍ଦୁଝରଗଡ଼, ପାରାଦୀପ, ଭଦ୍ରକ ଏବଂ ଖୋର୍ଦ୍ଧା ରୋଡ୍‌ରୁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ୍‌ ଗଡ଼ିବ। ଶ୍ରଦ୍ଧାଳୁଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପୁରୀରୁ ତାଳଚେର, ଢେଙ୍କାନାଳ, ବାଙ୍ଗିରିପୋଷି, ଭଦ୍ରକ, ଅନୁଗୁଳ, ଦଶପଲ୍ଲା, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, କେନ୍ଦୁଝରଗଡ଼ ଓ ପାରାଦୀପ ଅଭିମୁଖେ ଟ୍ରେନ୍‌ ଚଳାଚଳ କରିବ।

ଯାତ୍ରୀଙ୍କ ସୁବିଧା: ଟ୍ରେନ୍‌ ଚଳାଚଳ ଓ ଯାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ରେଳପଥ ପକ୍ଷରୁ ୨୪ ଘଣ୍ଟିଆ (୨୪×୭) କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି।

ଅତିରିକ୍ତ ଯାତ୍ରୀ ସେବା

  • ଟିକେଟ୍‌ ସୁବିଧା: ଷ୍ଟେସନଗୁଡ଼ିକରେ ଅତିରିକ୍ତ ଟିକେଟ୍‌ କାଉଣ୍ଟର ଓ ମୋବାଇଲ୍‌ UTS ଆପ୍‌ ମାଧ୍ୟମରେ ସୁବିଧାରେ ଟିକେଟ୍‌ ମିଳିବ।
  • ସୁରକ୍ଷା ଓ ଚିକିତ୍ସା: ପ୍ରତୀକ୍ଷାଳୟ, ପାନୀୟ ଜଳ, ଶୌଚାଳୟ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଏବଂ ମେଡିକାଲ୍/ଆମ୍ବୁଲାନ୍ସ ସେବା ମହଜୁଦ୍ ରଖାଯାଇଛି।