ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ରାଜନୀତିର ଜଣେ ପ୍ରଭାବଶାଳୀ ଚେହେରା, ଭଟଲିରୁ ଲଗାତାର ତିନି ଥର ବିଧାୟକ, ନବୀନ ସରକାରରେ ଦକ୍ଷ ମନ୍ତ୍ରୀ ଏବଂ ବିଜେଡିର ଟାଣୁଆ ନେତା ଭାବେ ପରିଚିତ ଥିଲେ ସୁଶାନ୍ତ ସିଂହ। ନିଜର ଦୀର୍ଘ ରାଜନୈତିକ ଜୀବନରେ ଜନସେବା, ସଂଗଠନ ଦକ୍ଷତା ଓ ବିକାଶମୂଳକ କାର୍ଯ୍ୟ ପାଇଁ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।

ରାଜନୈତିକ ଯାତ୍ରାର ଆରମ୍ଭ

ସୁଶାନ୍ତ ସିଂହଙ୍କ ରାଜନୈତିକ ଜୀବନ ଆରମ୍ଭରୁ ହିଁ ଥିଲା ସକ୍ରିୟ ଓ ଜନମୁଖୀ। ୨୦୦୯ ମସିହାରେ ସେ ପ୍ରଥମ ଥର ପାଇଁ ଭଟଲି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ସାଧାରଣ ଲୋକଙ୍କ ସହ ନିବିଡ଼ ସମ୍ପର୍କ ଓ ମଜବୁତ୍ ସଂଗଠନ କ୍ଷମତା ବଳରେ ସେ ଅଳ୍ପ ସମୟ ମଧ୍ୟରେ ନିଜର ପରିଚୟ ତିଆରି କରିଥିଲେ। ୟା’ପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ। ୨୦୧୪ ଏବଂ ୨୦୧୯ ନିର୍ବାଚନରେ ମଧ୍ୟ ଭଟଲିବାସୀଙ୍କ ଆସ୍ଥା ଜିତି ଲଗାତାର ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ନବୀନ ସରକାରରେ ଦକ୍ଷ ମନ୍ତ୍ରୀ

ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସୁଶାନ୍ତ ସିଂହ ଶ୍ରମ ଓ ଶକ୍ତି ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ। ମନ୍ତ୍ରୀ ଭାବେ ବିଭିନ୍ନ ବିକାଶମୂଳକ ଯୋଜନା, ଶ୍ରମିକ କଲ୍ୟାଣ ଏବଂ ଶକ୍ତି କ୍ଷେତ୍ରର ସୁଧାର ପାଇଁ ସେ ନିଷ୍ଠାର ସହ କାର୍ଯ୍ୟ କରିଥିଲେ। ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ସେ ସବୁବେଳେ ତତ୍ପର ରହୁଥିଲେ।

‘ସିଂହ ଇଜ୍ କିଙ୍ଗ’

କେବଳ ପଶ୍ଚିମ ଓଡ଼ିଶା ନୁହେଁ, ସମଗ୍ର ରାଜ୍ୟରେ ବିଜେଡିର ଜଣେ ପ୍ରଭାବଶାଳୀ ନେତା ଭାବେ ସେ ନିଜର ଦବ୍‌ଦବା ବଜାୟ ରଖିଥିଲେ। ରାଜନୈତିକ ମହଲରେ ତାଙ୍କୁ ଅନେକ ସମୟରେ ‘ସିଂହ ଇଜ୍ କିଙ୍ଗ’ (Singh is King) ବୋଲି ସମ୍ବୋଧନ କରାଯାଉଥିଲା। ତାଙ୍କ ନେତୃତ୍ୱ, ସଂଗଠନ କୌଶଳ ଓ ଜନସେବା ପ୍ରତି ନିଷ୍ଠା ଓଡ଼ିଶା ରାଜନୀତିରେ ସଦା ସର୍ବଦା ସ୍ମରଣୀୟ ହୋଇରହିବ।